ଫୁଲବାଣୀ ସମେତ କନ୍ଧମାଳରେ ଶୀତ ଲହରୀ, ଥଣ୍ଡା ସାଙ୍ଗକୁ ଘନ କୁହୁଡି ଲାଗି ଅସ୍ତବ୍ୟସ୍ତ ଜନ ଜୀବନ

Published By : Prameya-News7 Bureau | November 15, 2022 IST

କନ୍ଧମାଳ ୧୫/୧୧: ଗତ ଦୁଇ ତିନି ଦିନ ହେଲା କନ୍ଧମାଳରେ ପ୍ରବଳ ଶୀତ ଅନୁଭୁତ ହେଉଛି । ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ଶୀତରେ ଥରୁଛି । ପାରଦ ଦିନକୁ ଦିନ ଖସିବାରେ ଲାଗିଛି । ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି । ଘନ କୁହୁଡିର ଚାଦର ତଳେ ସାରା କନ୍ଧମାଳ । କୁହୁଡି ଯୋଗୁ ମୁହଁକୁ ମୁହଁ ଦେଖାଯାଉନି ।

ଫଳରେ ସକାଳ ୯ଟା ପୂର୍ବରୁ ଘରୁ ପଦାକୁ ବାହାରି ପାରୁ ନାହାନ୍ତି ଲୋକୋ ସେପଟେ ସଞ୍ଜ ନଇଁବା କ୍ଷଣି ଏବେ ପୁଣି ଦୁଇ ଦିନ ହେଲା ଥଣ୍ଡା ମାଡି ଆସୁଛି। ଫଳରେ ରାସ୍ତାଘାଟ ମଧ୍ୟ ଜନଶୁନ୍ୟ ହୋଇ ପଡୁଛି ତା ସାଙ୍ଗକୁ ଦୋକାନ ବଜାର ବି ଖାଁ ଖାଁ ଲାଗୁଛି । କି ବୁଢା କି ପିଲା ସଭିଏ ଏବେ ନିଆଁ ଜାଳି ନିଆଁ ପାଖରେ ଦିନରାତି ବସି ରହୁଛନ୍ତି । ଆଗକୁ ଆହୁରି ତାପମାତ୍ରା ଖସିବାର ସଂଭାବନା ରହିଛି । ଥଣ୍ଡା ବଢିବା ଫଳରେ ଏବେ ଗରମ ପୋଷାକ ର ମଧ୍ୟ ଚାହିଦା ବଢିବାରେ ଲାଗିଛି ।

ଫଳରେ ଗାଁରୁ ସହର ଯାଏ ଗରମ ପୋଷାକର ପସରା ମେଲିଥିବା ଦେଖାଯାଉଛି। ଲୋକେ ମଧ୍ୟ ଗରମ ପୋଷାକ କିଣାକିଣି କରୁଥିବା ଦେଖିବାକୁ ମିଳୁଛି । ସେହିପରି ଜ଼ିଲ୍ଲାର ବାଲିଗୁଡାରେ ବି ଥଣ୍ଡାର ପ୍ରକୋପ ବଢ଼ିବାରେ ଲାଗିଛି l ଥଣ୍ଡା ସାଙ୍ଗକୁ ଘନ କୁହୁଡି ଅସ୍ତବ୍ୟସ୍ତ କରିପକାଇଛି ଜନ ଜୀବନ l ସେହିପରି ଜିଲ୍ଲା ର ବେଲଘର, ତୁମୁଡିବନ୍ଧ, ରାଇକିଆ, ମଣ୍ଡାସୁର, ଜିଉଦୟଗିରି, ରାଇକିଆ, ଆଦି ଅଞ୍ଚଳରେ ମଧ୍ୟ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସି ଆସିଥିବାରୁ ଏସବୁ ସ୍ଥାନରେ ଏବେ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.