ଆମେରିକୀୟ କମ୍ପାନୀରେ ପୁଣି ଭାରତୀୟଙ୍କ ପ୍ରଭାବ: କଗ୍ନିଜେଣ୍ଟର ସିଇଓ ହେଲେ ରବି କୁମାର, ଓଡ଼ିଶାରେ ପଢ଼ିଥିଲେ ପାଠ

Published By : Prameya-News7 Bureau | January 12, 2023 IST

ନୂଆଦିଲ୍ଲୀ: ଆମେରିକୀୟ କମ୍ପାନୀ କଗ୍ନିଜେଣ୍ଟ ଟେକ୍ନୋଲୋଜୀ ସଲ୍ୟୁସନର ସିଇଓ ଓ ବୋର୍ଡର ସଦସ୍ୟ ହେଲେ ଭାରତୀୟ ରବି କୁମାର। ଏହା ପୂର୍ବରୁ ବ୍ରାଏନ ଏମ୍‌ଫ୍ରିସ୍‌ କମ୍ପାନୀର ସିଇଓ ଥିଲେ। ସେ ସିଇଓ ପଦରୁ ଇସ୍ତଫା ଦେବା ପରେ ରବି କୁମାରଙ୍କୁ ଏହି ପଦରେ ନିଯୁକ୍ତି ମିଳିଛି। ତେବେ ବ୍ରାଏନ୍ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ କମ୍ପାନୀର ସ୍ୱତନ୍ତ୍ର ଉପଦେଷ୍ଟା ରହିବେ ବୋଲି କମ୍ପାନୀ କହିଛି।

କଗ୍ନିଜେଣ୍ଟ ଟେକ୍ନୋଲୋଜୀ ସଲ୍ୟୁସନ ହେଉଛି ଏକ ବହୁଦେଶୀୟ ଆମେରିକୀୟ ଆଇଟି କମ୍ପାନୀ। ଯାହାର ମୁଖ୍ୟାଳୟ ନ୍ୟୁଜର୍ସିର ଟିନେକ ଠାରେ ରହିଛି। ରବି କୁମାର କଗ୍ନିଜେଣ୍ଟର ସିଇଓ ହେବା ପୂର୍ବରୁ ଭାରତୀୟ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ରେ କାମ କରୁଥିଲେ। ୨୦୧୬ ଜାନୁଆରୀ ଠାରୁ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ସେ କମ୍ପାନୀ ଅଧ୍ୟକ୍ଷ ଥିଲେ।  

ରବି ମହାରାଷ୍ଟ୍ର ଶିବାଜୀ ୟୁନିଭର୍ସିଟିରୁ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ବେଳେ ଓଡ଼ିଶାର ଜାଭିୟର ଇନଷ୍ଟିଚ୍ୟୁଟ୍‌ ଅଫ୍ ମ୍ୟାନେଜ୍‌ମେଣ୍ଟରୁ ଏମ୍‌ବିଏ କରିଛନ୍ତି। ତାଙ୍କ ଲିଙ୍କ୍‌ଡିନ ପ୍ରୋଫାଇଲ୍ ଅନୁସାରେ, ରବି କୁମାର ଭାବା ଆଟୋମିକ ରିସର୍ଚ ସେଣ୍ଟରରେ ବୈଜ୍ଞାନିକ ଭାବରେ ବି କାମ କରିସାରିଛନ୍ତି। ସୂଚନା ଥାଉକି ୨୦୦୨ରେ ରବି କୁମାର ଇନ୍‌ଫୋସିସ୍‌ର ହାଇଦ୍ରାବଦ ଅଫିସ୍‌ରୁ କାମ କରିବା ଆରମ୍ଭ କରି ୨୦୧୪ରେ ମନ୍ଥନ ଅଫିସ୍‌ରେ ବି କାର୍ଯ୍ୟ କରିଥିଲେ।

କଗ୍ନିଜେଣ୍ଟରେ ଯୋଗ ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ରବି କୁମାର। ସେ କହିଛନ୍ତି “ କଗ୍ନିଜେଣ୍ଟ ଭଳି କମ୍ପାନୀର ଯୋଗ ଦେବା ମୋ ପାଇଁ ଏକ ସମ୍ମାନର କଥା ଏହା ଏମିତି ଏକ କମ୍ପାନୀ ଯାହା ତାର ମହକିଲମାନଙ୍କ ପାଇଁ ପ୍ରତିବଦ୍ଧତା ସହ ନୂତନତ୍ୱ ବଜାଇ ରଖିଛି।” ଏହା ପୂର୍ବରୁ କୁମାର ଭାରତ, ଲାଟିନ ଆମେରିକା, ଜାପାନ ଓ ଚୀନରେ ଇନ୍‌ଫୋସିସ୍‌ର ବ୍ୟବସାୟ ବୁଝୁଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.