ସମ୍ ଅଲ୍ଟିମେଟ ମେଡିକେୟାରରେ ଦୁଇ ଶିଶୁଙ୍କ ଶରୀରରେ କକ୍‌ଲିୟର ଇମ୍‌ପ୍ଲାଣ୍ଟ ପ୍ରତ୍ୟାରୋପଣ

Published By : Prameya-News7 Bureau | March 02, 2024 IST

ଭୁବନେଶ୍ୱର: ବୈଷୟିକ ଜ୍ଞାନ କୌଶଳ ଦ୍ୱାରା ଓଡ଼ିଶାର ଉପାନ୍ତ ଅଂଚଳର ଦୁଇ ଜଣ ଶିଶୁଙ୍କ ଶରୀରରେ ସଫଳତାର ସହ କକ୍‌ଲିୟର ପ୍ରତ୍ୟାରୋପଣ ଅସ୍ତ୍ରୋପଚାର କରାଯିବା ପରେ ସେମାନେ ଶ୍ରବଣ ଶକ୍ତି ପାଇପାରିଛନ୍ତି । କେନ୍ଦୁଝର ଜିଲ୍ଲାର ଏହି ଦୁଇ ଶିଶୁଙ୍କର ଜନ୍ମରୁ ବାକ୍ ଶକ୍ତି ଓ ଶ୍ରବଣ ଶକ୍ତି ନଥିବା ଜଣାପଡ଼ିବା ପରେ ସେମାନଙ୍କ ପିତା ମାତା ଅଧିକ ଚିକିତ୍ସା ପାଇଁ ସମ୍ ଅଲ୍ଟିମେଟ ମେଡିକେୟାରକୁ ଆଣିଥିଲେ । ସମ୍ମମ୍‌ର ଇଏନ୍‌ଟି ଓ ସ୍କଲ ବେସ୍ ସର୍ଜରୀ ବିଭାଗର ସିନିୟର କନ୍‌ସଲ୍‌ଟାଣ୍ଟ ତଥା ମୁଖ୍ୟ ଡାକ୍ତର ରାଧାମାଧବ ସାହୁ ପରୀକ୍ଷା ନିରୀକ୍ଷା ପରେ ଦୁଇ ଶିଶୁଙ୍କ ଶରୀରରେ କକ୍‌ଲିୟର ପ୍ରତ୍ୟାରୋପଣ ଆବଶ୍ୟକତା ଥିବା ଜଣାଇଥିଲେ ।

ପୋଷ୍ଟେରିୟର ଟିମ୍ପାନୋଟୋମୀ ପଦ୍ଧତି (ଯାହାକି ଏକ ମିନିମାଲି ଇନ୍‌ଭାସିଭ ପ୍ରୋସିଡ୍ୟୁୟର) ଦ୍ୱାରା ଏହି ଅସ୍ତ୍ରୋପଚାର କରାଯାଇଥିଲା । ଏହି ପ୍ରକ୍ରିୟାରେ ଗୋଟିଏ ସାମାନ୍ୟ ଛିଦ୍ର କରାଯାଇଥାଏ । ଏଥିରେ ଯନ୍ତ୍ରଣା ମଧ୍ୟ କମ୍‌ ହୋଇଥାଏ ବୋଲି ଡାକ୍ତର ସାହୁ କହିଛନ୍ତି । ମାର୍ଚ୍ଚ ୩ ତାରିଖ ବିଶ୍ୱ ଶ୍ରବଣ ଦିବସ ପରିପ୍ରେକ୍ଷୀରେ ଏହି ପ୍ରତ୍ୟାରୋପଣ ସମ୍ବନ୍ଧରେ ତଥ୍ୟ ଦେଇଛନ୍ତି ଡାକ୍ତର ସାହୁ । ଏହି ପ୍ରକ୍ରିୟା ଦ୍ୱାରା ରୋଗୀ ଖୁବ୍ ଶୀଘ୍ର ସୁସ୍ଥ ହୋଇଥାଏ । ଦୁଇଟି ଯାକ ପ୍ରତ୍ୟାରୋପଣ ସଫଳ ହୋଇଥିବା ବେଳେ ୨୧ ଦିନ ପରେ ଏହାକୁ ସୁଇଚ୍ ଅନ୍ କରାଯାଇଥିଲା ବୋଲି ସେ କହିଥିଲେ ।

ଆହୁରି ପଢ଼ନ୍ତୁ: ସାମୟିକ କଳା ଓ କ୍ରୀଡା ଶିକ୍ଷକଙ୍କ ପାରିଶ୍ରମିକ ୧୦ ହଜାର ଟଙ୍କାକୁ ବୃଦ୍ଧି, ଶିକ୍ଷୟିତ୍ରୀଙ୍କୁ ମିଳିବ ମାତୃତ୍ବ ଛୁଟି

ସମ୍ମମର ଅଡିଓଲୋଜିଷ୍ଟ ଶ୍ରୀମତି ଲୋପାମୁଦ୍ରା ତ୍ରିପାଠୀ କହିଛନ୍ତି ଯେ ଦୁଇ ଶିଶୁଙ୍କର ୩ ମାସ ଧରି ସ୍ପିଚ୍ ଥେରାପି କରାଯିବ । ଡାକ୍ତର ସାହୁ କହିଛନ୍ତି ଯେ ବିଶ୍ୱରେ ୮୦ ପ୍ରତିଶତ ଲୋକଙ୍କର ଶ୍ରବଣ ଶକ୍ତିରେ ସମସ୍ୟା ରହିଥିବା ସତ୍ୱେ ଚିକିତ୍ସା ହୋଇପାରିନଥାଏ । କାନ ଏବଂ ଶ୍ରବଣ ଶକ୍ତିର ଯତ୍ନ ନେଇ ମନୋଭାବ ପରିବର୍ତନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଅତ୍ୟଧିକ କିମ୍ବା ସମ୍ପୂର୍ଣ୍ଣ ଭାବେ ବଧିର ଥିବା ରୋଗୀଙ୍କ ଠାରେ ଏହି କକ୍‌ଲିୟର ପ୍ରତ୍ୟାରୋପଣ କରାଯାଇଥାଏ । ଏହା ଏକ ଛୋଟ ଇଲେକ୍ଟ୍ରୋନିକ୍ ଯନ୍ତ୍ର ଯାହା କାନର ଭିତର ପାର୍ଶ୍ବରେ ଖଞ୍ଜାଯାଇଥାଏ । ଏହା ଦ୍ୱାରା କମ୍ ଶୁଣି ପାରୁଥିବା କିମ୍ବା ସମ୍ପୂର୍ଣ୍ଣ ଶ୍ରବଣ ଶକ୍ତିହୀନ ଲୋକେ ଶୁଣିବାକୁ ସକ୍ଷମ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.