ବିଶ୍ବକପରେ ଭାରତ ଚତ୍ମକାର ପ୍ରଦର୍ଶନ; ମଧ୍ୟକ୍ରମ ବ୍ୟାଟିଂ ଉପରେ ସନ୍ତୁଷ୍ଟ କୋଚ୍

Published By : Prameya-News7 Bureau | November 12, 2023 IST

ନୂଆଦିଲ୍ଲୀ, ୧୨/୧୧: ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟିଂକୁ ଚର୍ଚ୍ଚା ଜୋର ଧରିଥିଲା । ବିଶ୍ବକପ୍ ବେଳେ ମଧ୍ୟକ୍ରମରେ କିଏ ହେବ ଟିମ୍ ଇଣ୍ଡିଆର ସଙ୍କଟମୋଚକ କଳ୍ପନାଜଳ୍ପନା ଲାଗି ରହିଥିଲା ? ବ୍ୟାଟିଂ ସମସ୍ୟାକୁ ନେଇ ଅଧିନାୟକ ରୋହିତ୍ ଶର୍ମା ମଧ୍ୟ ସ୍ବୀକାର କରିଥିଲେ । ମାତ୍ର ଦଳକୁ  ଶ୍ରେୟସ ଆୟର ଓ କେଏଲ ରାହୁଲ ଫେରିବା ପରେ ଟିମ୍ ଇଣ୍ଡିଆରେ ମିଡିଲ୍ ଅର୍ଡର ବ୍ୟାଟିଂ ସମସ୍ୟା ଦୂର ହୋଇଛି  ।

ଆୟର ଓ ରାହୁଲ ଦାୟିତ୍ୱପୂର୍ଣ୍ଣ  ବ୍ୟାଟିଂ କରି ଦଳକୁ ଚିନ୍ତାମୁକ୍ତ କରିଛନ୍ତି । ଉଭୟ ବଡ଼ ସ୍କୋର କରିବାରେ ସମକ୍ଷ ହୋଇନଥିଲେ ମଧ୍ୟ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼ ଉଭୟଙ୍କ ପ୍ରଦର୍ଶନକୁ ନେଇ ସନ୍ତୁଷ୍ଟ ଥିବା ପ୍ରକାଶ କରିଛନ୍ତି । ଦ୍ରାବିଡ଼ କହିଛନ୍ତି, ମଧ୍ୟକ୍ରମ ବ୍ୟାଟରଙ୍କ ବ୍ୟକ୍ତିଗତ ସ୍କୋରକୁ ନେଇ ସେମାନଙ୍କ ଦକ୍ଷତା ମାପିବା ଠିକ୍‌ ନୁହେଁ ।  ମଧ୍ୟକ୍ରମରେ ସେମାନଙ୍କ ଭାଗିଦାରୀ  ଗୁରୁତ୍ୱପୂର୍ଣ୍ଣ । ଏହା ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।  ରାହୁଲ, ଆୟର, ସୂର୍ଯ୍ୟକୁମାର ବଡ଼  ସ୍କୋର କରିବାରେ ବିଫଳ ହୋଇଥିଲେ ହେଁ ମଧ୍ୟଭାଗରେ ଉପଯୁକ୍ତ ଭାଗିଦାରୀ ଗଠନ କରି ଆସିଛନ୍ତି । ଦଳ ବିଜୟରେ ପ୍ରତ୍ୟେକ ଖେଳାଳିଙ୍କ ଯୋଗଦାନ ରହିଛି ।  ତେଣୁ ସେମାନଙ୍କ ବ୍ୟକ୍ତିଗତ ସ୍କୋରକୁ ନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ ।

ଅଲରାଉଣ୍ଡର  ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତି ଦଳକୁ  ପ୍ରଭାବିତ କରିପାରିନାହିଁ । ଆମେ  କ୍ରମାନ୍ୱୟରେ ୮ଟି ମ୍ୟାଚ୍‌ ଜିତିଛୁ ଏବଂ  ନବମ ମ୍ୟାଚ୍‌ ଜିତିବା ଲକ୍ଷ୍ୟରେ ଅଛୁ ।  ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ଶେଷ ହେବା ପରେ  ସେମି ଫାଇନାଲ୍‌ ପାଇଁ ପ୍ରସ୍ତୁତି କରିବୁ ବୋଲି କୋଚ୍ ରାହୁଲ ଦ୍ରାବିଡ୍ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.