ମ୍ୟାଚ୍ ବେଳେ ପତ୍ନୀ ଓ ପ୍ରେମିକାଙ୍କୁ ସାଙ୍ଗରେ ରଖିବା ଘଟଣା, ଟିମ୍ ଇଣ୍ଡିଆ କ୍ୟାପ୍ଟେନ ଓ କୋଚଙ୍କୁ ରିପୋର୍ଟ ମାଗିଲେ ସିଓଏ
19/07/2019 at 9:31 PM

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର କାର୍ଯ୍ୟ ତଦାରଖ ନିମନ୍ତେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ସିଓଏ, ଭାରତୀୟ କ୍ରିକେଟ ଟିମର କ୍ୟାପ୍ଟେନ୍ ବିରାଟ କୋହଲି ଓ କୋଚ୍ ରବି ଶାସ୍ତ୍ରୀଙ୍କୁ ବିଦେଶ ଗସ୍ତ ସମୟରେ ଟିମର ବିବରଣୀ ଦେବାକୁ କହିଛନ୍ତି। ଯେଉଁଥିରେ ସେମାନେ ପତ୍ନୀ ଓ ପ୍ରେମିକାଙ୍କୁ ସାଙ୍ଗରେ ରଖିବାର କାରଣ ନେଇ ମଧ୍ୟ ରିପୋର୍ଟ ଦେବାକୁ କହିଛନ୍ତି । ସିଓଏଙ୍କ ଏହି ରିପୋର୍ଟ ତଲବକୁ ନେଇ କେବଳ ବିସିସିଆଇ ଅଧିକାରୀ ନୁହଁନ୍ତି ଲୋଧା ପ୍ୟାନେଲ୍ ମଧ୍ୟ ଆଶ୍ଚର୍ଯ୍ୟବ୍ୟକ୍ତ କରିଛନ୍ତି।

ପୂର୍ବତନ ଚିଫ୍ ଜଷ୍ଟିସ୍ ଆର.ଏମ. ଲୋଧା କହିଛନ୍ତି ଯେ ଏହି ମାମଲାରେ ବୋର୍ଡର ଲୋକପାଳ ଡି.କେ. ଜୈନ ହିଁ ନିଷ୍ପତ୍ତି ନେଇପାରିବେ । ସେ କହିଛନ୍ତି ଯେ ଲୋକପାଳଙ୍କୁ ଏବେ ଲୋଧା ପ୍ୟାନେଲଙ୍କ ପ୍ରସ୍ତାବିତ ସମ୍ବିଧାନ ବିରୋଧରେ ନିଆଯାଉଥିବା ପଦକ୍ଷେପକୁ ରୋକିବା ଉଚିତ୍ । ସମସ୍ତେ ଏବେ ଲୋଧା ପ୍ୟାନେଲର ପ୍ରସ୍ତାବକୁ ନିଜ ହିସାବରେ ବାଖ୍ୟା କରୁଛନ୍ତି ।ଏଣୁ ଯଦି କିଛି ମାମଲା ଉଠିଛି ତେବେ ଲୋକପାଳଙ୍କୁ ଏହା ଉପରେ ନିଷ୍ପତ୍ତି ନେବା ଉଚିତ୍ ବୋଲି ପ୍ୟାନେଲ କହିଛନ୍ତି।

ବିସିସିଆଇ ଅଧିକାରୀ କହିଛନ୍ତି ଯେ କ୍ୟାପ୍ଟେନ୍ ଓ କୋଚଙ୍କୁ ନିଜ ପତ୍ନୀ ଓ ପ୍ରେମିକାଙ୍କୁ ବିଦେଶ ଗସ୍ତରେ ନେବା ସ୍ପଷ୍ଟ ରୂପେ ହୀତ ବିରୋଧୀ । ମ୍ୟାଚବେଳେ ପତ୍ନୀ ଓ ପ୍ରେମିକାଙ୍କୁ ସାଙ୍ଗରେ ନେଇ ଯିବା ଲୋଧା ପ୍ୟାନେଲଙ୍କ ନିୟମର ଉଲ୍ଲଂଘନ । ତେବେ ଏହା ଦେଖିବା ବାକି ରହିଲା ଯେ ଲୋକପାଳ ଜୈନ ଏହି ମାମଲାକୁ କେମିତି ହ୍ୟାଣ୍ଡେଲ୍ କରୁଛନ୍ତି ।