ତବଲିଗି ଜମାତ ଉପରେ ବର୍ଷିଲେ ଯୋଗୀ, କହିଲେ ସେମାନେ ଜାଣି ଶୁଣି କରୋନା ସଂକ୍ରମଣ କରିଛନ୍ତି, ହେବ କଠୋର ଦଣ୍ଡ
3/05/2020 at 7:06 PM

ଲକ୍ଷ୍ନୌ ୦୩।୦୫: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନାକୁ ନେଇ ତବଲିଗି ଜମାତିଙ୍କ ଉପରେ ଶାଣିତ ସ୍ଵରରେ ହମଲା କରିଛନ୍ତି। ଏକ ଘରୋଇ ଚ୍ୟାନେଲ ସହ ସାକ୍ଷାତକାର ବେଳେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଜମାତିମାନେ କରୋନା ରୋଗ ଲୁଚେଇ ରଖିଲେ। ସେମାନେ ଏମିତି ଜାଣିଶୁଣି କରିଛନ୍ତି, ଯାହା ଅକ୍ଷମଣୀୟ ଅପରାଧ। ଯଦି ସେମାନେ ନିଜର ରୋଗ ଲୁଚେଇ ନଥାନ୍ତେ ତେବେ ଆଜି କରୋନା ସଂକ୍ରମଣ ସଂଖ୍ୟା କମ୍ ହୋଇଥାନ୍ତା। ଏହି ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ସଂକ୍ରମିତ କରିବା ନେଇ ତବଲିଗି ଜମାତର ଲୋକଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି, ଜମାତି ରୋଗକୁ ଲୁଚାଇ ରଖି ଜାଗା ଜାଗାରେ ସଂକ୍ରମଣ କଲେ। ଆପଣଙ୍କ ଏହି କାମ ସ୍ଵୀକାର କରାଯାଇ ପାରିବ ନାହିଁ। ମୋତେ କହିବାରେ କୌଣସି ସଙ୍କୋଚ ନାହିଁ ଯେ, ତବଲିଗିଙ୍କ ଏହି ଆଭିମୁଖ୍ୟ କାରଣରୁ ଦ୍ରୁତ ଗତିରେ ସଂକ୍ରମଣ ବ୍ୟାପିଛି। ଆଜି ଆମ ରାଜ୍ୟରେ ପାଖାପାଖି ୧୬୦୦ କରୋନା ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୧୦୦୦ରୁ ଅଧିକ ରୋଗୀ ତବଲିଗି ସମ୍ବନ୍ଧିତ।
ଜାଣି ଶୁଣି କରାଯାଇଥିବା କାର୍ଯ୍ୟ ଅକ୍ଷମଣୀୟ ଅପରାଧ
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଯଦି ସେମାନେ ଉଚିତ୍ ସମୟରେ ଚେତିଥାନ୍ତେ ତେବେ ନିଜ ରୋଗକୁ ନଲୁଚାଇ ପ୍ରଶାସନକୁ ଜଣାଇଥାନ୍ତେ। ସେମାନେ ଏମିତି ନକରି ରୋଗ ଲୁଚାଇଲେ ଏବଂ ବୟାନବାଜି କଲେ। ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ଵାସ ସୃଷ୍ଟି କଲେ। ଦେଖୁ ଦେଖୁ ବଡ ସଂଖ୍ୟାରେ ଲୋକ କରୋନା ସଂକ୍ରମଣର ଶିକାର ହେଲେ। ଏହା ଜାଣି ଶୁଣି କରାଯାଇଥିବା ଅପରାଧ ଏବଂ ଅକ୍ଷମଣୀୟ। ୟୁପିରେ ୩୦୦୦ରୁ ଅଧିକ ଜମାତି ଜାଗା ଜାଗା ଯାଇ ଏମିତି କାମ କରିଛନ୍ତି। ଆମ ପୋଲିସ ସମାନଙ୍କୁ ଖୋଜି ଖୋଜି ଧରି କ୍ଵାରେଣ୍ଟାଇନ୍ କରିଛି। ହସ୍ପିଟାଲରେ ମଧ୍ୟ ଗାଇଡ୍ ଲାଇନ୍ ନମାନି ସଂକ୍ରମଣ କଲେ ଏବଂ ଆଜି ସ୍ଥିତି ଆପଣଙ୍କ ସାମ୍ନାରେ। ଯଦି ସଠିକ୍ ସମୟରେ ସେମାନେ ସରକାରଙ୍କ ଅପିଲ୍ ଶୁଣି ଥାନ୍ତେ ତେବେ ଆଜି ଏପରି ସ୍ଥିତି ଉପୁଜିନଥାନ୍ତା ବୋଲି ଯୋଗୀ କହିଛନ୍ତି।
ଯୋଗୀ ଆଦିତ୍ୟନାଥ କଠୋର କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଇ କହିଛନ୍ତି, ଯଦି ସେମାନେ ରୋଗ ଲୁଚାଇ ନଥାନ୍ତେ ତେବେ ନିଶ୍ଚୟ ସଂକ୍ରମିତ ସଂଖ୍ୟା କମ୍ ହୋଇଥାନ୍ତା। ସେମାନେ ରୋଗ ଲୁଚାଇ ଅଶୋଭନୀୟ କାମ କରିଛନ୍ତି। ସେମାନଙ୍କ ବିରୋଧରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନିଆଯିବ।