ଆସନ୍ତା କାଲି ତିତଲି ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | October 16, 2018 IST

ଭୁବନେଶ୍ୱର ୧୬/୧୦: ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିତ୍‌ଲିରେ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରିବେ । ମୁଖ୍ୟମନ୍ତ୍ରୀ ଆସନ୍ତା କାଲି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଗସ୍ତ କରିବା ସହ ଗଜପତି ଜିଲ୍ଲାର ବାରଘର ଯିବେ । ସୂଚନାଯୋଗ୍ୟ ଯେ, ତିତ୍‌ଲି ବାତ୍ୟାରେ ଗଞ୍ଜାମ ଓ ଗଜପତି ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି । ଗଜପତି ଜିଲ୍ଲାର ବାରଘରର ୧୮ଜଣ ବାତ୍ୟା ଭୟରେ ପାହାଡ଼ରେ ଆଶ୍ରୟ ନେଇଥିଲେ । ପାହାଡ଼ ଧସିଯିବା ଯୋଗୁଁ ୧୮ ଜଣଙ୍କ ମୃତ୍ୟୁ ହୋଇଥିଲା । କେବଳ ଗଜପତି ଜିଲ୍ଲାରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେସରକାରୀ ଭାବେ କୁହାଯାଇଛି । ଏଥିସହିତ ବହୁ ଘର ଭାଙ୍ଗି ଯାଇଥିବାବେଳେ ଫସଲ ଉଜୁଡ଼ି ଯାଇଛି । ସେହିଭଳି ଲୋହରାଖଣ୍ଡି ନଦୀରେ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକରେ ମଧ୍ୟ ପ୍ରଚୁର କ୍ଷୟକ୍ଷତି ହୋଇଛି । ଋୁଷିକୁଲ୍ୟା, ବଡ଼ନଦୀ, ବାଘୁଆ ଆଦି ବିଭିନ୍ନ ନଦୀରେ ବନ୍ୟାଯୋଗୁଁ ଆସିକା, ସୋରଡ଼ା, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର,ହିଞ୍ଜିଳିକାଟୁ, ଚିକିଟି, ସାନଖେମୁଣ୍ଡି, ପାତ୍ରପୁର ଆଦି ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଥିଲା । ଜିଲ୍ଲାର ଗାଜଲବାଡ଼ି ଅଞ୍ଚଳରେ ୨ଜଣ ବନ୍ୟା ଜଳରେ ଭାସିଯାଇ ପ୍ରାଣ ହରାଇଛନ୍ତି । ସେହିଭଳି ବହୁ ଘର ଭାଙ୍ଗିଯାଇଛି । ଘରେ ପାଣି ପଶି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଚାଷ ଜମିରେ ପାଣି ମାଡ଼ିଯିବା ଯୋଗୁଁ ବ୍ୟପକ ଫସଲ ନଷ୍ଟ ହୋଇଛି । ମୁଖ୍ୟମନ୍ତ୍ରୀ ଗତ ୧୩ ତାରିଖ ଦିନ ହେଲିକପ୍ଟର ଯୋଗେ ଗଞ୍ଜାମର ବନ୍ୟା ପରିସ୍ଥିତି ପରିଦର୍ଶନ କରିଥିଲେ । ଏବେ ଗଞ୍ଜାମ ଓ ଗଜପତିର ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିବେ । ସୂଚନାଯୋଗ୍ୟ ଯେ, ତିତ୍‌ଲି ଓ ତା ପରବର୍ତ୍ତୀ ଫ୍ଲାସ ଫ୍ଲଡ଼ରେ ରାଜ୍ୟରେ ୨୬ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ସ୍ୱୀକାର କରାଯାଇଛି । ରାଜ୍ୟର ପାଖାପାଖି ୬୦ଲକ୍ଷ ଲୋକ ବାତ୍ୟା ଓ ବନ୍ୟାଯୋଗୁଁ ପ୍ରଭାବିତ ହୋଇଛନ୍ତି । ଆସନ୍ତାକାଲି ବାତ୍ୟା ଓ ବନ୍ୟା ଜନିତ କ୍ଷୟକ୍ଷତିର ପ୍ରାରମ୍ଭିକ ରିପୋର୍ଟ ଆସିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.