ଜୟପୁର ଯିବେ ମୁଖ୍ୟମନ୍ତ୍ରୀ, ବିକ୍ରମ ଦେବ କଲେଜ ପ୍ଳାଟିନମ ଜୁବୁଲି ଉତ୍ସବରେ ଯୋଗଦେବେ
1/02/2023 at 3:46 PM

ଜୟପୁର ୦୧/୦୨: ଆସନ୍ତା ୩ ତାରିଖରେ ଦିନ ଦିନିକିଆ ଜୟପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗସ୍ତ ସମୟରେ ସେ ଜୟପୁର ବିକ୍ରମ ଦେବ କଲେଜର ପ୍ଳାଟନମ ଜୁବଲି ପାଳନ ଉତ୍ସବରେ ଯୋଗଦେବେ ।
ଏହାସହ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ କାମ ସରିଥିବା ପ୍ରକଳ୍ପର ଉଦଘାଟନ କରିବେ । ଏଥିପାଇଁ ଜୟପୁର ବିକ୍ରମ ଦେବ କଲେଜରେ ପ୍ରସ୍ତୁତି ଜୋରଦାର ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସଫଳ କରିବା ପାଇଁ କଲେଜ ଆଲୁମିନଙ୍କ ସହ ଜୟପୁର ବିଧାୟକ ବୈଠକ କରିଛନ୍ତି ।
ଜୟପୁର ବିକ୍ରମ ଦେବ କଲେଜ ପ୍ରତିଷ୍ଠା ହେବାର ୭୫ ବର୍ଷ ପୂରଣ ହୋଇଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଏହାକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ମିଳିବ ବୋଲି ଆଶା ରଖିଛନ୍ତି ଏଠାକାର ଛାତ୍ରଛାତ୍ରୀ । କଲେଜର ପ୍ଳାଟନମ ଜୁବଲି ୨ ଦିନ ଧରି ପାଳନ ହେବାକୁ ଥିବାବେଳେ ଏଥିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ରାଜ୍ୟ ଓ ରାଜ୍ୟ ବାହାରର କଳାକାର ମାନେ ନୃତ୍ୟ ଓ ସଂଗୀତ ପରିବେଷଣ କରିବେ ।