୬ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ନିବେଶକ ସମ୍ମିଳନୀରେ ଯୋଗଦେବେ

Published By : Prameya-News7 Bureau | August 31, 2022 IST

ଭୁବନେଶ୍ୱର ୩୧।୦୮: ଆଜିଠୁ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ମେକ ଇନ ଓଡ଼ିଶା କନକ୍ଲେଭ ଅନୁଷ୍ଠିତ ହେବାକୁ ଯାଉଛି । ଏହି କନକ୍ଲେଭକୁ ସଫଳ କରିବା ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଇଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠୁ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ପ୍ରଥମ ଦିନରେ ସେଠାରେ ଆୟୋଜିତ ହେବାକୁ ଥିବା ଇନଭେଷ୍ଟର୍ସ ଆଣ୍ଡ ଆମ୍ବାସଡର୍ସ ମିଟ କାର୍ଯ୍ୟକ୍ରମରେ ଯୋଗଦେବାର ରହିଛି । ନିବେଶକ ଆଓ ଆମ୍ବାସଡ଼ର ମିଟ୍ କାର୍ଯ୍ୟକ୍ରମରେ ଆମେରିକା, ୟୁଏଇ, ଓମାନ,କତାର, ୟୁକେ, ଫ୍ରାନ୍ସ, ଇଟାଲୀ, ଜର୍ମାନୀ, ଜାପାନ , ସିଙ୍ଗାପୁର, ଦକ୍ଷିଣ କୋରିଆ ଏବଂ ଅଷ୍ଟ୍ରେଲିଆ ଭଳି ଦେଶ ପ୍ରତିନିଧମାନଙ୍କ ସହ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ପ୍ରତିନିଧିଗଣ ସିଧାସଳଖ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ଏବଂ ମୁଖ୍ୟ ସଚିବ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଅନେକ କେନ୍ଦ୍ର ମନ୍ତ୍ରୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ଭବନ ଠାରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ କରିବେ । ଆସନ୍ତା ୪ ତାରିଖରେ ଦିଲ୍ଲୀ ସ୍ଥିତ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଇଣ୍ଡିଆ ଇଣ୍ଟରନେସନାଲ ସେଣ୍ଟରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫ୍ ଟାଇମ୍ ଆଚିଭ୍ ମେଣ୍ଟ ଆୱର୍ଡ ସମ୍ମାନରେ ସମ୍ମାନୀତ କରାଯିବ । ଆସନ୍ତା ୫ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବା କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.