ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସ୍ଥିତି ସମୀକ୍ଷା : ଜିରୋ କାଜୁଆଲ୍‌ଟି ଉପରେ ଫୋକସ୍‌, ୧୦ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | August 16, 2022 IST

ଭୁବନେଶ୍ୱର ୧୬।୦୮: ସବୁ ପ୍ରକାର ବିପର୍ଯ୍ୟୟରେ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’। ତେଣୁ ଯେପରି କୌଣସି ଗୋଟିଏ ବି ଜୀବନ ହାନୀ ନ ହୁଏ, ଏବଂ ସାଧାରଣ ଜୀବନଯାତ୍ରାରେ କୌଣସି ବ୍ୟାପକ ଅସୁବିଧା ସୃଷ୍ଟି ନ ହୁଏ, ତାକୁ ସୁନିଶ୍ଚିତ କର। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା କରି ଅଧିକାରୀଙ୍କୁ ଏହି ମର୍ମରେ ନିର୍ଦ୍ଦେଶ ଦେଇଛନ୍ତି । ପରିସ୍ଥିତି ସଂପର୍କରେ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନର ନିୟମିତ ଭାବେ ସମୀକ୍ଷା କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କ୍ରମାଗତ ଭାବେ ବର୍ଷା ଲାଗି ରହିଥିବାରୁ ମହାନଦୀ ଅବବାହିକା ଅଞ୍ଚଳର ୧୦ଟି ଜିଲ୍ଲାରେ ବନ୍ୟା ହେବାର ସମ୍ଭାବନା ଦେଖାଦେଇଛି । ତେଣୁ ଏହି ୧୦ଟି ଜିଲ୍ଲାର ଜିଲ୍ଲାପାଳ ମାନେ ସତର୍କ ରହିବା ସହିତ ବନ୍ୟା ପରିସ୍ଥିତିକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ । ବିପଦସଂକୁଳ ଅଞ୍ଚଳରେ ଥିବା ଲୋକମାନଙ୍କୁ ପ୍ରାଥମିକତା ଭିତ୍ତିରେ ସ୍ଥାନାନ୍ତର କରି ସେମାନଙ୍କୁ ଆବଶ୍ୟକ ରିଲିଫ ଓ ମୌଳିକ ସୁବିଧା ଯୋଗାଇ ଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟସ୍ତରରେ ସଂପୃକ୍ତ ବିଭାଗମାନେ ଜିଲ୍ଲାଗୁଡିକୁ ସମସ୍ତ ପ୍ରକାର ସାହାଯ୍ୟ ତୁରନ୍ତ ଯୋଗାଇ ଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

ବିଭିନ୍ନ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଓ ଫାୟାର ସର୍ଭିସ ୟୁନିଟ୍ ଗୁଡିକୁ ବିଭିନ୍ନ ବିପଦସଂକୁଳ ସ୍ଥାନଗୁଡିକରେ ସଜାଗ ରଖି ଆବଶ୍ୟକସ୍ଥଳେ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ହସ୍‌ପିଟାଲ, ଜଳଯୋଗାଣ ଓ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ପରି ଜୀବନ ରକ୍ଷାକାରୀ ସଂସ୍ଥା ଗୁଡିକ ନିରବଚ୍ଛିନ୍ନ ଭାବରେ ସେବା ଯୋଗାଇ ଦେବା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଗ୍ରାମାଞ୍ଚଳରେ ସ୍ବଚ୍ଛ ପାନୀୟ ଜଳର ବ୍ୟବସ୍ଥା କରିବା, ସ୍ବାସ୍ଥ୍ୟ ବିଭାଗ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଣୀଧନର ସୁରକ୍ଷା ପାଇଁ ମତ୍ସ୍ୟ ଓ ପଶୁସଂପଦ ବିଭାଗ ଆବଶ୍ୟକ ସେବା ଯୋଗାଇ ଦେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

ତେବେ ରାସ୍ତାଘାଟର କ୍ଷତି ହୋଇ ଯଦି ଯୋଗାଯୋଗ ବ୍ୟବସ୍ଥା ବ୍ୟାହତ ହୁଏ, ତେବେ ଇଂଜିନିୟରିଂ ବିଭାଗ ଗୁଡିକ ସେଗୁଡିକର ତୁରନ୍ତ ମରାମତି ପାଇଁ ଆଗୁଆ ବ୍ୟବସ୍ଥା କରିବା ଆବଶ୍ୟକ । ଶକ୍ତି ବିଭାଗ ମଧ୍ୟ ବିଦ୍ୟୁତ ଯୋଗାଯୋଗ ବ୍ୟାହତ କ୍ଷେତ୍ରରେ ତୁରନ୍ତ ପୁନଃ ସଂଯୋଗ ପାଇଁ ଆଗୁଆ ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ବୈଠକରେ ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ ଜେନା ପରିସ୍ଥିତି, ପ୍ରସ୍ତୁତି ଓ ପଦକ୍ଷେପ ସଂପର୍କରେ ଉପସ୍ଥାପନା ରଖି କହିଲେ ଯେ ମହାନଦୀର ଉପର ଓ ତଳମୁଣ୍ଡରେ ବର୍ଷା ହୋଇ ୧୦ଟି ଜିଲ୍ଲାରେ ବନ୍ୟା ପରିସ୍ଥିତିର ସମ୍ଭାବନା ଦେଖାଦେଇଛି। ସୋମବାର ହୀରାକୁଦର ୮ଟି ଗେଟ୍‌ ବନ୍ଦ କରାଯାଇଛି ଏବଂ ବର୍ତ୍ତମାନ ୨୬ଟି ଗେଟ୍‌ ଖୋଲା ରହିଛି । ଏହାଦ୍ବାରା ହୀରାକୁଦର ତଳ ମୁଣ୍ଡରେ ବନ୍ୟା ପରିସ୍ଥିତିର ପ୍ରଭାବ ସାମାନ୍ୟ କମିଛି । ୭ଟି ଜିଲ୍ଲାରେ ୯ଟି ଓଡ୍ରାଫ, ୬ଟି ଜିଲ୍ଲାରେ ୯ଟି ଏନ୍‌ଡିଆର୍‌ଏପ୍‌ ଟିମ୍‌, ୪୪ଟି ଅଗ୍ନିଶମ ସେବା ୟୁନିଟ୍‌କୁ ସଜାଗ ରଖାଯାଇଛି । ମଙ୍ଗଳବାର ମହାନଦୀର ମୁଣ୍ଡଳୀ ଠାରେ ୧୧.୭୫ ଲକ୍ଷ କ୍ୟୁସେକ ଜଳ ପ୍ରଭାବିତ ହେବ ବୋଲି ସେ ସୂଚନା ଦେଇଥିଲେ।

ସେପଟେ ସବୁ ଜିଲ୍ଲା ପ୍ରଶାସନକୁ ହାଇ ଆଲର୍ଟରେ ରଖାଯାଇଛି । ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆବଶ୍ୟକ ହେଲେ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ସେଥିପାଇଁ ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକର ସହାୟତା ନେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ଏହାସହିତ ନଦୀବନ୍ଧ ଗୁଡିକ ଉପରେ ନଜର ରଖିବା ଏବଂ ପ୍ରଭାବିତ ଅଞ୍ଚଳରେ ଆବଶ୍ୟସ୍ଥଳେ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ ରଖିବା ପାଇଁ ମଧ୍ୟ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ସମ୍ବଲପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ସିଏମ୍‌ସି କମିଶନରଙ୍କ ସହିତ ପରିସ୍ଥିତି ସଂପର୍କରେ ଆଲୋଚନା କରିଥିଲେ । ବର୍ତ୍ତମାନ ସୁଦ୍ଧା ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଭାବରେ ସଜାଗ ରହି ପରିସ୍ଥିତି ଉପରେ ନଜର ରଖିଛି । କେତେକ ସ୍ଥାନରେ ଲୋକଙ୍କୁ ସ୍ଥାନାନ୍ତରିତ ମଧ୍ୟ କରାଯାଉଛି ବୋଲି ଜିଲ୍ଲାପାଳମାନେ ସୂଚନା ଦେଇଥିଲେ । ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବ ଏବଂ ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.