ତୁଟିବ ଆନ୍ଧ୍ର-ତେଲେଙ୍ଗାନା ମଧ୍ୟରେ ବିବାଦ ! ବିଭିନ୍ନ ସମସ୍ୟାକୁ ନେଇ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ

Published By : Prameya-News7 Bureau | July 07, 2024 IST

Image Credit: The New Indian Express

ନୂଆଦିଲ୍ଲୀ: ୨୦୧୪ରେ ହୋଇଥିଲା ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା ମଧ୍ୟରେ ବିଭାଜନ। ଦୁଇ ରାଜ୍ୟ ହୋଇଥିଲେ ଅଲଗା।ହେଲେ ବିଭାଜନ ହୋଇଥିଲେ ବି ଦୁଇ ରାଜ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସମସ୍ୟା ରହିଥିଲା। ଯାହାର ୧୦ ବର୍ଷ ବିତିଯାଇଥିଲେ ସମାଧାନ ହୋଇପାରିନାହିଁ। ହେଲେ ଏବେ ହୁଏତ ଏହି ସମସ୍ୟାର ସମାଧାନ ହୋଇପାରେ। କାରଣ ଶନିବାର ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଦୀର୍ଘ ଦିନର ସମସ୍ୟାର ସମାଧାନର ଆଲୋଚନା କରିବା ପାଇଁ ଭେଟିଛନ୍ତି  ।

ସୂଚନାଥାଉକି, ଦୁଇ ରାଜ୍ୟ ମଧ୍ୟରେ ୧୪ଟି ପ୍ରସଙ୍ଗର ସମସ୍ୟା ରହିଛି। ଯେଉଁଥିରେ ବିଜୁଳି ବକେୟା, ୯୧ ଟି ସଂସ୍ଥାର ବିଭାଜନ ଏବଂ ବ୍ୟାଙ୍କ୍‌ ବାଲାନ୍ସର ବଣ୍ଟନ ଆଦି ରହିଛି । ଏହି ବ୍ୟାଙ୍କ୍‌ ବାଲାନ୍ସକୁ ଉଭୟ ରାଜ୍ୟ ସରକାର ଜନକଲ୍ୟାଣ କାର୍ଯ୍ୟରେ ବ୍ୟବହାର କରିବାକୁ ଚାହୁଛନ୍ତି।

ଜଣେ ଅଧିକାରୀଙ୍କ ଅନୁଯାୟୀ, ଚଳିତ ବର୍ଷ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିବା ନାଇଡୁଙ୍କୁ ଶୁଭେଚ୍ଛା ଜଣାଇବାକୁ ଫୋନ୍‌ କରିଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ। ଆଉ ଏହି ସମୟରେ ସେ, ଦୁଇ ରାଜ୍ୟ ମଧ୍ୟରେ ଥିବା ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ। ଯାହା ପରେ ଉଭୟ ଶନିବାର ବୈଠକ କରିଥିଲେ। ଆହୁରି ମଧ୍ୟ ଏହି ଦୁଇ ମୁଖ୍ୟମନ୍ତ୍ରୀ ସାକ୍ଷାତ ସମୟରେ ଦୁଇ ବନ୍ଧୁଙ୍କ ଭଳି ପରସ୍ପର ସହ ଆଲିଙ୍ଗନ କରିଥିଲେ।ହାଇଦ୍ରାବାଦ ବେଗମପେଟ୍‌ର ଜ୍ୟୋତିରାଓ ଫୁଲେ ପ୍ରଜା ଭବନରେ ହୋଇଥିବା ଏହି ବୈଠକରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ, ବରିଷ୍ଠ ମନ୍ତ୍ରୀ ଏବଂ ସଚିବାମାନେ ମଧ୍ୟ ଉପସ୍ଥିତ ରହିଥିଲେ।

ଏହି ସାକ୍ଷାତକାର ସମୟରେ ଉଭୟ ମୁଖ୍ୟମନ୍ତ୍ରୀ ସେମାନଙ୍କର ଦାବି ରଖିଥିଲେ। ମୁଖ୍ୟତଃ ଦୁଇ ରାଜ୍ୟ ମଧ୍ୟରେ ଥିବା ମତାନ୍ତରକୁ ଦୂର କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଉଭୟ ରାଜ୍ୟ ପକ୍ଷରୁ ଏକ ରୋଡ୍ମ୍ୟାପ୍ ଉପସ୍ଥାପନ କରାଯାଇଥିଲା। ଯେଉଁଥିରେ ସମସ୍ୟାର ସମାଧାନ କିଭଳି କରାଯିବ ସେନେଇ ଆଲୋଚନା କରାଯାଇଥିଲା।ଏମିତିକି କେଉଁ ସ୍ଥାନରେ କେନ୍ଦ୍ରର ହସ୍ତକ୍ଷେପ ଦରକାର ସେନେଇ ମଧ୍ୟ ଆଲୋଚନା ହୋଇଥିଲା। ଆହୁରି ମଧ୍ୟ ଏହି ବୈଠକରେ ଗୋଦାବରୀ ଜଳ ସମସ୍ୟା ଏବଂ କ୍ରିଷ୍ଣା ନଦୀର ଜଳ ବିଭାଜନ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।

ପ୍ରକୃତରେ ଉଭୟ ରାଜ୍ୟର ଲୋକେ କୌଣସି ସମ୍ପତ୍ତିର ବିଭାଜନକୁ ବିକ୍ରି ଭାବରେ ଦେଖୁଛନ୍ତି ଏବଂ ଏହାକୁ ରାଜ୍ୟର ହିତକୁ ଅଣଦେଖା କରାଯିବା ଭଳି ଦେଖୁଛନ୍ତି। ଫଳରେ ସମସ୍ୟାର ସମାଧାନ ହେବାର ବିଳମ୍ବ ହେଉଛି। ଏଥିପାଇଁ ଏହି ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କେବେବି ଠିକ୍ ଭାବରେ ବୁଝାମଣା ହୋଇପାରିନଥିଲା।

ରେବନ୍ତ ଏବଂ ନାଇଡୁଙ୍କ ମଧ୍ୟରେ ସମ୍ପର୍କ ଖୁବ୍ ପୁରୁଣା

ପ୍ରକୃତରେ ରେବନ୍ତ ଏବଂ ନାଇଡୁଙ୍କ ମଧ୍ୟରେ ସମ୍ପର୍କ ଖୁବ୍ ପୁରୁଣା। ରେବନ୍ତ ଦୀର୍ଘ ଦିନ ପର୍ଯ୍ୟନ୍ତ ଟିଡିପି ସହ ରହିଥିଲେ ଏବଂ ୨୦୦୯ ଏବଂ ୨୦୧୪ରେ କୋଡଙ୍ଗଲରୁ ଦୁଇ ଥର ପାର୍ଟୀ ଟିକେଟରେ ନିର୍ବାଚିତ ହୋଇଥିଲା । ଅକ୍ଟୋବର ୨୦୧୭ରେ ଛାଡ଼ିବା ଏବଂ କଂଗ୍ରେସରେ ସାମିଲ ହେବା ପୂର୍ବରୁ ତାଙ୍କୁ ନାଇଡୁଙ୍କ ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.