ଆଇନ ମନ୍ତ୍ରୀ କାର୍ତ୍ତିକେୟ ସିଂହଙ୍କ ବିରୋଧରେ ଗିରଫ ପରଓ୍ବାନା, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଲେ ଏମିତି

Published By : Prameya-News7 Bureau | August 17, 2022 IST

ପାଟନା ୧୭।୮: ବିହାର ନୂତନ ସରକାରଙ୍କ ଆଇନ ମନ୍ତ୍ରୀ କାର୍ତ୍ତିକେୟ ସିଂହଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି ହେବା ପରେ ରାଜନୈତିକ ବାତାବରଣ ଉସ୍ମ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏ ସମ୍ବନ୍ଧରେ କିଛି ବି କହିବାକୁ ମନା କରିଦେଇଛନ୍ତି । ସେ କହିଛନ୍ତି ଯେ, ତାଙ୍କ ନକଟରେ ଏ ସମ୍ପର୍କରେ କିଛି ସୂଚନା ନାହିଁ । ଉଲ୍ଲେଖଯୋଗ୍ୟ ଯେ, କାର୍ତ୍ତିକେୟ ସିଂ ମନ୍ତ୍ରୀ ଭାବେ ଶପଥ ନେବା ଦିନ ତାଙ୍କୁ ଏକ ଅପହରଣ ମାମଲାରେ କୋର୍ଟରେ ହାଜର ହେବାର ଥିଲା କିନ୍ତୁ ସେ ହାଜର ହୋଇନଥିଲେ ।

ଆଇନ ମନ୍ତ୍ରୀଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି ହେବା ଯୋଗୁଁ ନୀତୀଶ ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପାଟନାରେ ବୁଧବାର ଅପରାହ୍ନରେ ଏକ କାର୍ଯ୍ୟକ୍ରମ ପରେ ନୀତୀଶ କୁମାରଙ୍କୁ ଗଣମାଧ୍ୟମ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିଥିଲା । ସେତେବେଳେ ତାଙ୍କୁ କାର୍ତ୍ତିକେୟ ସିଂହଙ୍କ ବିଷୟରେ ପ୍ରଶ୍ନ ପଚରାଯାଇଥିଲା। ସେ କିନ୍ତୁ ଏ ସମ୍ପର୍କରେ କିଛି ଜାଣି ନାହାନ୍ତି କହି ପ୍ରଶ୍ନକୁ ଏଡାଇ ଯାଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ପାଟନା ଜିଲ୍ଲାର ବିହଟା ଅଞ୍ଚଳରେ ରାଜୁ ବିଲଡର ଅପହରଣ ମାମଲାରେ ଆଇନ ମନ୍ତ୍ରୀ କାର୍ତ୍ତିକ କୁମାର ଓରଫ କାର୍ତ୍ତିକେ ସିଂହ ଅଭିଯୁକ୍ତ ଅଟନ୍ତି । ତାଙ୍କ ବିରୋଧରେ ବିହଟା ଥାନାରେ କେସ୍ ନମ୍ବର ୮୫୯/୨୦୧୪ରେ ମାମଲା ରୁଜୁ ହୋଇଛି । କାର୍ତ୍ତିକେୟଙ୍କ ବିରୋଧରେ କୋର୍ଟରୁ ଗିରଫ ଓ୍ବାରେଣ୍ଟ ଜାରି କରାଯାଇଛି । ତାଙ୍କୁ ଅଗଷ୍ଟ ୧୬ରେ କୋର୍ଟରେ ହାଜର ହେବାର ଥିଲା । ସେହିଦିନ ସେ ମନ୍ତ୍ରୀ ପଦ ପାଇଁ ଶପଥ ନେଉଥିଲେ । ଏହି ଅପହରଣ ମାମଲାରେ ପୂର୍ବତନ ବିଧାୟକ ଏବଂ ବାହୁବଳୀ ନେତା ଅନନ୍ତ ସିଂହ ମଧ୍ୟ ଅଭିଯୁକ୍ତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.