“କରୋନା ମୁକାବିଲାରେ ସାରାଦେଶରେ ଓଡ଼ିଶା ଇତିହାସ ସୃଷ୍ଟି କରିବ ”-ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | April 29, 2020 IST

ଭୁବନେଶ୍ୱର ୨୯।୦୪: କରୋନା ମୁକାବିଲାରେ ଓଡ଼ିଶା ତିନୋଟି ଚ୍ୟାଲେଞ୍ଜକୁ ସଫଳତାର ସହ ମୁକାବିଲା କରିଛି ।  ଚତୁର୍ଥ ଚ୍ୟାଲେଞ୍ଜକୁ ମଧ୍ୟ ସଫଳତାର ସହ ମୁକାବିଲା କରିବ । ଏଥିପାଇଁ  ରାଜ୍ୟବାସୀଙ୍କୁ ସହଯୋଗ ଓ ସମର୍ଥନ ଲାଗି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି  ରାଜ୍ୟବାସୀ ଙ୍କ ସହଯୋଗରେ ଓଡ଼ିଶା କରୋନା ମୁକାବିଲାରେ ସଫଳତା ହାସିଲ ସହ ସାରାଦେଶରେ ଇତିହାସ ସୃଷ୍ଟି କରିବ ।

ଭିଡିଓ ବାର୍ତ୍ତା ଜରିଆରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ବୁଧବାର ଅପରାହ୍ନରେ ଏପରି ଆହ୍ୱାନ  କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି କରୋନା ମୁକାବିଲାରେ ଜନିତ ସ୍ଥିତିରେ ଓଡ଼ିଶା ଆଗରେ ଚାରୋଟି ଚ୍ୟାଲେଞ୍ଜ ରହିଥିଲା । ଗତ ୧୦ଦିନ ତଳେ ସେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ବେଳେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୧ଥିଲା କିନ୍ତୁ ଏବେ ତାହା ଦ୍ୱିଗୁଣ । ତଥାପି କରୋନା ମୁକାବିଲା ତଥା ନିୟନ୍ତ୍ରଣରେ ଓଡିଶା ଅନ୍ୟରାଜ୍ୟମାନଙ୍କ ଅପେକ୍ଷା ଭଳ ସ୍ଥିତିରେ ରହିଛି ।

ପ୍ରଥମ ଚ୍ୟାଲେଞ୍ଜ ଭାବେ ବିଦେଶ ଫେରନ୍ତା ଭାଇର-ଉଭଣୀମାନଙ୍କ ଯତ୍ନ ନେବା ପାଇଁ ପ୍ରଥମ ରାଜ୍ୟ ଭାବେ ଓଡିଶା ଓ୍ୱେବସାଇଟ୍‌ ମାଧ୍ୟମରେ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ କରିଥିଲା । ତେବେ ରାଜ୍ୟବାସୀ (ଆପଣମାନେ)ଙ୍କ ସହଯୋଗରେ ଏହା ସଫଳ ହେଲା ଏବଂ ଓଡିଶା ସରକାର ପ୍ରଥମ ଚ୍ୟାଲେଞ୍ଜକୁ ସଠିକ୍‌ ଢଙ୍ଗରେ ମୁକାବିଲା କରି ନିୟନ୍ତ୍ରଣ କରିପାରିଲେ । ନିଜାମୁଦ୍ଦୀନ ଫେରନ୍ତା ରାଜ୍ୟ ପାଇଁ ଦ୍ୱିତୀୟ ଚ୍ୟାଲେଞ୍ଜ ଥିଲେ  । କିନ୍ତୁ ପୁଣି ସାବଧାନ ହେବା ସହ ସେମାନଙ୍କ ଯତ୍ନ ନେବାରେ ରାଜ୍ୟବାସୀ ସରକାରଙ୍କୁ ସାହାଯ୍ୟ ଓ ସହଯୋଗ କଲେ ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସରକାର ସଫଳ ହେଲେ । ତୃତୀୟ ତଥା ଅନ୍ୟ ଦୁଇ ଚ୍ୟାଲଞ୍ଜ ଅପେକ୍ଷା ବଡ ଥିଲା ପଶ୍ଚିମବଙ୍ଗ ଫେରନ୍ତା ଓଡିଶାର ଲୋକେ ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ୫୦ଜଣଙ୍କର ପଶ୍ଚିମବଙ୍ଗ ସହ ସଂପର୍କ ରହିଛି । ତେବେ ରାଜ୍ୟବାସୀଙ୍କ ସଚେତନତା , ସାବଧାନତା, ତଥା ସହଯୋଗ ଯୋଗୁଁ  ରାଜ୍ୟ ସରକାର ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାରେ ସଫଳ ହୋଇଛନ୍ତି । ଏବେ ଦେଶରେ ସର୍ବାଧିକ କୋଭିଡ-୧୯ସଂକ୍ରମିତ ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ପ୍ରବାସୀ ଓଡିଆ ଭାଇ-ଭଉଣୀମାନେ ରାଜ୍ୟକୁ ଫେରୁଛନ୍ତି ବା ଫେରିବେ । ତେବେ ସେମାନଙ୍କ ଯତ୍ନ ନେବା ଆମ ଦାୟିତ୍ୱ , ସେମାନେ ଆମ ପରିବାରର ଓ ଆମ ନିଜର । ସେମାନଙ୍କୁ ସାବଧାନ ରଖିବା ସହ ଧୌର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରିବା ନିହାତି ଜରୁରୀ । ସେମାନଙ୍କୁ ରେଜିଷ୍ଟ୍ରେସନ କରିବା ସହ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିବା ପାଇଁ ସରକାରଙ୍କ ନିୟମ ପାଳନ କରାଯିବା ଆବଶ୍ୟକ । ଏଥିପାଇଁ ରାଜ୍ୟବାସୀଙ୍କୁ ସରକାରଙ୍କ ନିୟମ ମାନିବା ସହ ସରକାରଙ୍କୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୁଣି ଥରେ ଆହ୍ୱାନ କରିଛନ୍ତି । କହିଛନ୍ତି , ଟିକିଏ ହେଳା କଲେ ପରିସ୍ଥିତି ଭୟଙ୍କର ହୋଇଯିବ । ଏହା ଜୀବନ ଓ ମୃତ୍ୟୁ ର କଥା, ଏଥିପାଇଁ ସମସ୍ତଙ୍କ ସାହାଯ୍ୟ ଓ ସମର୍ଥନ ଆବଶ୍ୟକ । ଏହାକଲେ ଆମେ ପରିସ୍ଥିତିକୁ ମୁକାବିଲା କରିବା ସହ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିପାରିବା । ଏବଂ ଏହାକରି ଓଡ଼ିଶା ସାରାଦେଶରେ ଇତିହାସ ସୃଷ୍ଟି କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.