ମନରେଗା ମଜୁରୀ ଦେବାରେ ବିଳମ୍ବ କଲେ କଠୋର କାର୍ଯ୍ୟାନୁଷ୍ଠାନ : ଯୋଜନା ସଂପର୍କରେ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | December 16, 2020 IST

ଭୁବନେଶ୍ବର ୧୬/୧୨: ରୋଜଗାର ଅଭାବରୁ ଯେଭଳି ଗୋଟିଏ ବି ପରିବାର କଷ୍ଟ ନ ପାଏ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମଜୁରୀ ଦେବାରେ ବିଳମ୍ବ କଲେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦେଇଛନ୍ତି ଚେତାବନୀ। ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନଫରେନସିଂ ଜରିଆରେ ସବୁ ଜିଲ୍ଲାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା ଏବଂ ସହରାଞ୍ଚଳ ରୋଜଗାର ଯୋଜନା ଆଦିର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିଥିଲେ ।

ଏହି ୨ କାର୍ଯ୍ୟକ୍ରମ ଜରିଆରେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୨୦ କୋଟି ମାନବ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି । MGNREGA ଲକ୍ଷ୍ୟ ପୂରଣ ଦିଗରେ ଯାଜପୁର, କୋରାପୁଟ , ସୋନପୁର ଜିଲ୍ଲା ବହୁତ ଭଲ କାମ କରିଥିବାରୁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହିସବୁ ଜିଲ୍ଲାରେ ପରିବାର ପିଛା ଅଧିକ ୧୦୦ ଦିନ ଓ ଅତିରିକ୍ତ ମଜୁରୀ ଦିଆଯିବା ସଂପର୍କରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ସେହିପରି ଆଗାମୀ ମାର୍ଚ୍ଚ ପୂର୍ବରୁ ୧ ହଜାର ମିଶନ ଶକ୍ତି ଘର ଏବଂ ଜାନୁଆରୀ ଶେଷ ସୁଦ୍ଧା ଗୋଟିଏ ଲେଖାଏଁ ପରିଚୟ ଗୃହର ନିର୍ମାଣ କାମ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଲୋଚନାରେ ଅଂଶଗ୍ରହଣ କରି ୫-ଟି ସଚିବ ଭି.କେ. ପାଣ୍ଡିଆନ କହିଲେ ଯେ ମିଶନ୍ ଶକ୍ତିର ମା ମାନଙ୍କୁ ତଦାରଖ କାର୍ଯ୍ୟରେ ସକ୍ରିୟ ଭାବରେ ନିୟୋଜିତ କରାଯିବା ସହିତ ସେମାନଙ୍କ ତଦାରଖ ପ୍ରାପ୍ୟ ଅବିଳମ୍ବେ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.