ଭୁବନେଶ୍ବରରେ ଏବେ ମାଗଣାରେ ମିଳିବ ଇଣ୍ଟରନେଟ୍ ; ପ୍ରଥମ ପର୍ଯ୍ୟାୟରେ ୧୦୦ଟି ୱାଇଫାଇ ହଟସ୍ପଟର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | November 05, 2018 IST

ଭୁବନେଶ୍ବର ୫|୧୧: ଆଜିଠାରୁ ସଂପୂର୍ଣ୍ଣ ୱାଇଫାଇ ସହରରେ ପରିଣତ ହୋଇଛି ଭୁବନେଶ୍ବର ।  ସଚିବାଳୟରେ ‘ଭୁବନେଶ୍ବର ମିଓ୍ବାଇଫାଇ’ ସେବାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର ବାସିନ୍ଦାଙ୍କୁ ଡିଜିଟାଲ ଦୁନିଆ ସହ ଯୋଡିବା ପାଇଁ ଏହାର ଉଦଘାଟନ କରାଯାଇଛି । ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ‘ଭୁବନେଶ୍ବର ମିୱାଇଫାଇ’ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ‘ଭୁବନେଶ୍ବର ମିଓ୍ବାଇଫାଇ’ ସେବାରେ ୧୦୦ ହଟସ୍ପଟ ଓ ୨୭୫ ଅକ୍ସେସ୍ ପଏଣ୍ଟ ଶୁଭାରମ୍ଭ କରାଯାଇଛି । କିଟ୍ ଛକରୁ ରାଜଭବନ, ଆଚାର୍ଯ୍ୟବିହାରରୁ ଏଜି ଛକ, ଶିଶୁଭବନରୁ ବାଣୀବିହାର, ନାଲକୋ ଛକରୁ ଆଚାର୍ଯ୍ୟବିହାର ପର୍ଯ୍ୟନ୍ତ ଏହି ହସସ୍ପଟ ଉପଲବ୍ଧ ହେବ। ପ୍ରତ୍ୟେକ ହଟସ୍ପଟ ଏକା ସାଙ୍ଗରେ ୧୫୦ଜଣ ବ୍ୟବହାର କରିବା ସହ ୨ ଏମବିପିଏସ ଇଣ୍ଟରନେଟ୍ ସ୍ପିଡର ସୁବିଧା ପାଇପାରିବେ । ବ୍ୟବହାରକାରୀ ଦିନକୁ ମାଗଣାରେ ୨୫୦ ଏମବି ପର୍ଯ୍ୟନ୍ତ ଡାଟା ମାଗଣାରେ ପାଇପାରିବେ । ଏହି ଡାଟାର ଉପଯୋଗ ପରେ ପୁନଶ୍ଚ ଡାଟା ବ୍ୟବହାର ପାଇଁ ସେମାନଙ୍କୁ ଲଗ୍ ଇନ୍ କରିବାକୁ ହେବ ଓ ଶୁଳ୍କ ପୈଠର ଯୋଜନା ବାଛିବାକୁ ହେବ । ଭୁବନେଶ୍ବର ମିଓ୍ବାଇଫାଇ ଅତ୍ୟନ୍ତ ସ୍ବଳ୍ପ ମୂଲ୍ୟରେ ବ୍ୟବହାରକାରୀଙ୍କୁ ଅତିରିକ୍ତ ଉପଯୋଗ ଯୋଜନା ବା ଟପ୍ ଅପ୍ ପ୍ଲାନ ଯୋଗାଇ ଦେବ । ସମାଜର ସବୁ ବର୍ଗର ନାଗରିକ, ବିଶେଷକରି ଯୁବାବର୍ଗଙ୍କ ପାଇଁ ଏହି ସୁବିଧା ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.