ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ନବୀନଙ୍କ ହେଲିକପ୍ଟର

Published By : Prameya-News7 Bureau | December 22, 2018 IST

ଝାରସୁଗୁଡା ୨୨|୧୨ : ଅଳ୍ପକେ ବର୍ତ୍ତିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଗତକାଲି ଝାରସୁଗୁଡା ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ଦୁର୍ଘଟଣାରୁ ବର୍ତ୍ତିଥିବା ସଂପର୍କିତ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ମାତ୍ର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଖାମଖିଆଲି ନିର୍ଦ୍ଦେଶକୁ ଟାର୍ଗେଟ୍ କରିଛନ୍ତି ଝାରସୁଗୁଡା ଜିଲ୍ଲା ବିଜେଡି ସଭାପତି କିଶୋର ମହାନ୍ତି |

ଗତକାଲି ମୁଖ୍ୟମନ୍ତ୍ରୀ ବିମାନ ଯୋଗେ ଆସି ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଓହ୍ଲାଇବା ପରେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଏକ ହେଲିକପ୍ଟରରେ କୋଲାବିରାରେ ଅତ୍ମୋତ୍ସର୍ଗ ଦିବସରେ ଯୋଗଦେବାକୁ ବାହାରିଥିଲେ | ବିମାନବନ୍ଦରରେ ଅବତରଣପରେ ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଝାରସୁଗୁଡା ବିଧାୟକ ନବ ଦାସ ଓ ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା ସ୍ବାଗତ କରିଥିଲେ | ବିମାନବନ୍ଦରରୁ

ମୁଖ୍ୟମନ୍ତ୍ରୀଙ୍କୁ ନେଇ ହଳଦିଆ ରଙ୍ଗର ହେଲିକେପ୍ଟର ଉଡିବାର ମାତ୍ର ୧୫ ସେକେଣ୍ଡ ମଧ୍ୟରେ  ନବ ଦାସଙ୍କୁ ଭୁବନେଶ୍ବର ନେବାକୁ ଉପସ୍ଥିତ ଅନ୍ୟ ଏକ ଧଳାରଙ୍ଗର ହେଲିକପ୍ଟରକୁ ଉଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା | ଏୟାର ଟ୍ରାଫିକ କଣ୍ଟ୍ରୋଲ ସିଷ୍ଟମ ପକ୍ଷରୁ ନିୟମ ମୁତାବିକ ପ୍ରୋଟୋକଲ ଅନୁସାରେ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀଙ୍କ ବିମାନ ଉଡାଣର ୩ ମିନିଟ୍ ମଧ୍ୟରେ ଅନ୍ୟ କୌଣସି ବିମାନକୁ ଉଡାଇବାକୁ ଦିଆଯିବା ଅନୁଚିତ | କିନ୍ତୁ ମାତ୍ର ୧୫ ସେକେଣ୍ଡ ଅନ୍ତରରେ ଦୁଇଟି ହେଲିକପ୍ଟରକୁ ଏକା ସଂଗେ ଉଡିବାକୁ ଅନୁମତି ଦିଆଯିବାରୁ ଦୁଇଟି ହେଲିକପ୍ଟର ମଧ୍ୟରେ ଦୁରତ୍ବ ଅଳ୍ପ ରହିଥିଲା | ଯାହାଫଳରେ ଆକାଶ ମାର୍ଗରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର କିଛି ସମୟ ପାଇଁ ଏଣେ ତେଣେ ଉଡିବାର ଦୃଶ୍ୟ ଭାଇରାଲ ହୋଇଥିବା ଭିଡିଓରେ ଜଣାପଡୁଛି |

ବିମାନବନ୍ଦରରେ ଉପସ୍ଥିତ ପୋଲିସ କର୍ମଚାରୀ ଓ ଅନ୍ୟ ଅଧିକାରୀମାନେ ଏଭଳି ଦୃଶ୍ୟ ଦେଖି ହତବାକ ହୋଇଯାଇଥିଲେ | ପରେ ବାଧ୍ୟହୋଇ ଅନ୍ୟ ହେଲିକପ୍ଟରକୁ ତଳକୁ ଓହ୍ଲାଇବାକୁ ପଡିଥିଲା | ଏଭଳି ଖାମଖିଆଲି ମନୋଭାବକୁ ନିନ୍ଦା କରିବା ସହ ତ୍ରୁଟି ପାଇଁ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ବିଜେଡି ଜିଲ୍ଲା ସଭାପତି କିଶୋର ମହାନ୍ତି | ଅପରପକ୍ଷେ ଆଜି ଛୁଟି ଥିବାରୁ ନିଜର ପ୍ରତିକ୍ରିୟା ଦେବାରୁ ଦୂରେଇ ରହିଥିବା ବିମାନବନ୍ଦର ନିର୍ଦ୍ଦେଶକ ସ୍ବଦେଶ ଚୌହାନ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ଦୁଇଟି ହେଲିକେପ୍ଟର ଉଡିବାରେ ୪ ମିନିଟ୍ ଅନ୍ତର ରହିଥିଲା ବୋଲି ଦର୍ଶାଇବାକୁ ଚେଷ୍ଟା କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.