ବାରବାଟୀ ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରି ସରକାରଙ୍କ ସଫଳତା ଲୋକଙ୍କ ସହ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | January 26, 2019 IST

କଟକ ୨୬|୧: ଆଜି କଟକ ବରାବାଟୀ ଷ୍ଟାଡିୟମରେ ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରି ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାକୁ ଦେଶ ପାଇଁ ଏକ ଆଦର୍ଶ ମଡେଲ୍ ବୋଲି କହିଛନ୍ତି । ଏହାସହ ରାଜ୍ୟ ସରକାର ୯୬ ପ୍ରତିଶତ ଗାଁରେ ବିଜୁଳି ପହଞ୍ଚାଇବାରେ ସଫଳ ହୋଇଛନ୍ତି ବୋଲି ନବୀନ ତାଙ୍କ ଅଭିଭାଷଣରେ କହିଛନ୍ତି । ସେପଟେ କଟକ ତ୍ରିଶୁଳିଆ ନିକଟରେ ପ୍ରତିଷ୍ଠା ହେବାକୁ ଥିବା ଜାତୀୟ ସ୍ତରୀୟ ମାନସିକ ରୋଗ ପ୍ରତିଷ୍ଠାନ ଆରମ୍ଭ କାମ ତ୍ବରାନ୍ବିତs କରିବାକୁ ବରିଷ୍ଠ ଡାକ୍ତର ନୀଳମାଧବ ରଥ ମଞ୍ଚ ଉପରେ ନବୀନଙ୍କୁ ନିବେଦନ କରିଛନ୍ତି ।

ବାରବାଟୀରେ ସାଧାରଣତନ୍ତ୍ର ଦିବସ ପାଳନ ଅବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ସଫଳତାକୁ ଲୋକଙ୍କ ସହ ବାଣ୍ଟିଛନ୍ତି । ଆଜି ସକାଳ ସାଢେ ଆଠଟା ସମୟରେ ମୁଖ୍ୟମନ୍ତ୍ରୀ ବାରବାଟୀ ଷ୍ଟାଡିୟମ୍ ରେ ପହଞ୍ଚି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ୪୨ଟି କଣ୍ଟିଜେଣ୍ଟ ଦ୍ବାରା ପ୍ରଦର୍ଶିତ ରଙ୍ଗା ରଙ୍ଗ ପରେଡ୍ ରେ ମୁଖ୍ୟମନ୍ତ୍ରୀ ଅଭିବାଦନ ଗ୍ରହଣ କରିଥିଲେ । ନବୀନ ନିଜ ଭାଷଣରେ କାଳିଆ ଯୋଜନା ଦେଶର କୃଷକମାନଙ୍କ ହେଉଥିବା ଯୋଜନାର ଏକ ଆଦର୍ଶ ମଡେଲ୍ ବୋଲି କହିଥିଲେ । ଏହାସହ ଗ୍ରାମାଞ୍ଚଳରେ ବିଜୁଳି ପହଞ୍ଚାଇବାରେ ରାଜ୍ୟ ସରକାରଙ୍କ ସଫଳତାର କାହାଣୀ ମଧ୍ୟ କହିଥିଲେ ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ସ୍କୁଲ ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ । ଏହାସହ ସମାଜନରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ । ବିଶେଷ କରି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ମୁଖ୍ୟମନ୍ତ୍ରୀ ଡାକ୍ତର ବିଦ୍ୟୁତ ଦାସ, ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଡାକ୍ତର ନୀଳମାଧବ ରଥଙ୍କୁ ସମ୍ମାନୀତ କରିଥିଲେ । ଏହି ଅବସରରେ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ନୀଳମାଧବ ରଥ କଟକ ତ୍ରିଶୁଳିଆଠାରେ ପ୍ରସ୍ତାବିତ ଜାତୀୟ ସ୍ତରୀୟ ମାନସିକ ରୋଗ ପ୍ରତିଷ୍ଠାନର କାମ ଶୀଘ୍ର ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମାନସିକ ରୋଗ ପ୍ରତିଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନ ଜମି ଯୋଗାଇଦେଇଥିବା ବେଳେ, ଏପର୍ଯ୍ୟନ୍ତ ଏହାର କାମ ଆରମ୍ଭ ହୋଇପାରି ନାହିଁ ।

ଏହି ଅବସରରେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ପଦ୍ମ ପୁରସ୍କାର ପାଇଥିବା ଓଡିଆ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ମାତ୍ର ନବୀନଙ୍କ ଭଉଣୀ ଗୀତା ମେହେଟ୍ଟା ପଦ୍ମ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିବା ବାବଦର ପଚରାଯାଇଥିବା ପ୍ରଶ୍ନର ମୁଖ୍ୟମନ୍ତ୍ରୀ କୌଣସି ଉତ୍ତର ଦେଇନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.