ସରକାରଙ୍କ ନିଶା ଖସିଗଲା : ଢେଙ୍କାନାଳ ବଳରାମପୁରରେ ହେବାକୁ ଥିବା ବିୟର୍ ଫ୍ୟାକ୍ଟ୍ରି ବନ୍ଦ କରିବାକୁ ବାଧ୍ୟ ହେଲେ ସରକାର, ଏବେ ବହୁ ପ୍ରଶ୍ନ ଅସମାହିତ

Published By : Prameya-News7 Bureau | November 19, 2018 IST

ଭୁବନେଶ୍ବର ୧୯|୧୧: ସରକାରଙ୍କ ନିଶା ଖସିଗଲା । ପିଇବା ପାଣି ଯୋଗାଇବାକୁ ଅକ୍ଷମ ସରକାର, ଲୋକଙ୍କ ବିୟର୍ ଦେବାକୁ ଚାହୁଁଥିଲେ । ଯେଉଁଥି ପାଇଁ ଶହ ଶହ ଗଛ କାଟି ଜଙ୍ଗଲ ସଫା କରି ଦେଇଥିଲେ । କିନ୍ତୁ ଲୋକେ ସରକାରଙ୍କ ନିଶା ଖସାଇ ଦେଇଛନ୍ତି । ଢେଙ୍କାନାଳ ବଳରାମପୁରରେ ହେବାକୁ ଥିବା ବିୟର୍ ଫ୍ୟାକ୍ଟ୍ରି ବନ୍ଦ କରିବାକୁ ସରକାର ଏକରକମ ବାଧ୍ୟ ହୋଇଛନ୍ତି ।

ବୋତଲ ଶୁଂଘିବା ଦୂରର କଥା, ସ୍ଥାନୀୟ ଲୋକଙ୍କ ବିରୋଧ ଦେଖି ସରକାରଙ୍କ ନିଶା ଖସିଗଲା । ଢେଙ୍କାନାଳ ବଳରାମପୁରରେ ହେବାକୁ ଥିବା ବିୟର୍ କାରଖାନା ବନ୍ଦ । ପ୍ରସ୍ତାବିତ ପ୍ରକଳ୍ପ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଳରାମପୁର ଝିଙ୍କାରଗଡ଼ିରେ ଏହି କାରଖାନା ହେବାର ଥିଲା । ଶହ ଶହ ସଂଖ୍ୟାରେ ପୁରୁଣା ଶାଳ ଗଛକୁ ପ୍ରଶାସନ କାଟିଦେବା ପରେ ସ୍ଥାନୀୟ ଲୋକେ ତାତିଥିଲେ । କୌଣସି ପରିସ୍ଥିତିରେ ବି ସେଠାରେ ମଦ କାରଖାନା କରାଇ ଦେବେ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଲେ । ଘଟଣାକୁ ନେଇ ବିରୋଧୀ, ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇବା ପରେ ଆରଡିସିଙ୍କ ରିପୋର୍ଟ ଆଧାରରେ ବିୟର୍ କାରଖାନା ବନ୍ଦ କରିବାକୁ ସରକାର ବାଧ୍ୟ ହୋଇଛନ୍ତି ।

ମଦ ପାଇଁ ଏତେ ସଂଖ୍ୟାରେ ଗଛ ହଣାକୁ ନେଇ ବିଧାନସଭାରେ ତାତି ଉଠିଥିଲା । ମୁଲତବୀ ପ୍ରସ୍ତାବ ଆଣି, ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଦାବି କରିଥିଲା କଂଗ୍ରେସ । ତେବେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ବନ୍ଦ କରିଦେବାରୁ ଆଲୋଚନା ହୋଇପାରିନି । ଆରଡିସିଙ୍କ ତଦନ୍ତ ଆଧାରରେ ସରକାର, ବିୟର୍ କାରଖାନା ବନ୍ଦ କରିଥିଲେ ବି ବିରୋଧୀଙ୍କ ଆକ୍ରୋଶରୁ ବର୍ତ୍ତିପାରି ନାହାନ୍ତି । ସରକାର ଏନେଇ ଗୃହରେ ଉତ୍ତର ଦେବା ସହ ବଟଲିଂ ପ୍ଲାଣ୍ଟ ପଛରେ ଥିବା ସରକାରୀ ଅଧିକାରୀଙ୍କ ବିରୋଧରେ ଆକ୍ସନ୍ ନେବାକୁ ଦାବି କରିଛନ୍ତି ବିରୋଧୀ ।

ବିୟର୍ ଫ୍ୟାକ୍ଟ୍ରି ବନ୍ଦ ହେଲା ବୋଲି ସରକାର କହିଥିଲେ ମଧ୍ୟ, ଗାଁ ମୁଣ୍ଡ ଜଙ୍ଗଲର ଦୟନୀୟ ଅବସ୍ଥାକୁ କିନ୍ତୁ, ବଳରାମପୁର ଗାଁ ଲୋକେ ଭୁଲିପାରୁ ନାହାନ୍ତି । ଗତକାଲି ସେଠାରେ ଭଜନ କୀର୍ତ୍ତନ କରି କଟା ଗଛଗୁଡ଼ିକର ଅନ୍ତେଷ୍ଟି କରିଥିବା ଗାଁ ଲୋକେ ଆଜି ବିଶାଳ ରାଲି କରିଛନ୍ତି । ଗଛ କାଟିଥିବା ପ୍ରଶାସନର ଅଧିକାରୀ ଏବଂ କର୍ମଚାରୀଙ୍କ ବିରୋଧରେ ସେମାନେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

କଥା ହେଉଛି, ଜଙ୍ଗଲ ସଫା କରି ବଳରାମପୁରରେ ବିୟର୍ ଫ୍ୟାକ୍ଟ୍ରି କରିବାକୁ କିଏ ନିଷ୍ପତ୍ତି ନେଇଥିଲା ? ସରକାରୀ ସ୍ତରରେ ହୋଇଥିବା ନିଷ୍ପତ୍ତି ପଛରେ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଅଞ୍ଚଳର ନେତାଙ୍କର କି ଭୂମିକା ଥିଲା ? ଜଙ୍ଗଲ ସଫା କରିବା ପାଇଁ ଗ୍ରାମସଭାରେ ନିଷ୍ପତ୍ତି ହୋଇଥିଲା କି ? ଏବେ କେବଳ ଫ୍ୟାକ୍ଟ୍ରି ବନ୍ଦ କରିଦେଇ ସରକାର ଚୁପ୍ ବସିଲେ ହୋଇଯିବନି, ଗଛ କାଟି ସ୍ଥାନୀୟ ଅଞ୍ଚଳର ପରିବେଶକୁ କୁଠାରାଘାତ କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.