୭୩ବର୍ଷ ବୟସରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ; ଚଳିତବର୍ଷ ଜନ୍ମଦିନ ପାଳିବେନାହିଁ ନବୀନ
16/10/2018 at 10:17 AM

ଭୁବନେଶ୍ବର ୧୬|୧୦: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୩ବର୍ଷରେ ପଦାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ ରାଜ୍ୟରେ ବାତ୍ୟା ଓ ବନ୍ୟା ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଜନ୍ମଦିନ ପାଳନ କରିବା ଲାଗି ମନା କରିଦେଇଛନ୍ତି । ରାଜ୍ୟର ଅଧିକାଂଶ ଭାଗରେ ବାତ୍ୟା ଓ ବନ୍ୟାରେ ପ୍ରଭାବ ପଡ଼ିଥିବା ବେଳେ, ଲୋକେ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି । ଏଭଳି ସମୟରେ ଜନ୍ମଦିନ ପାଳନ କରିବେ ନାହିଁ ବୋଲି କହିଛନ୍ତି ନବୀନ । ପ୍ରତିବର୍ଷ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବାକୁ ନେତା, ମନ୍ତ୍ରୀ ଓ ପ୍ରଶସଂକଙ୍କ ଭିଡ ଜମୁଥିବା ବେଳେ ଚଳିତ ବର୍ଷ ନବୀନ ଏସବୁ ପାଇଁ ମନା କରିଦେଇଛନ୍ତି । ୧୯୪୬ ମସିହା ଅକ୍ଟୋବର ୧୬ତାରିଖରେ ଜନ୍ମଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ ରାଜ୍ୟର ୧୪ତମ ମୁଖ୍ୟମନ୍ତ୍ରୀ । ସାମ୍ପ୍ରତିକ ରାଜନୀତିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଜଣେ ବିରଳ ରାଜନେତା । କାରଣ ତାଙ୍କର ସରଳ ଜୀବନଶୈଳୀ ତାଙ୍କୁ ଅନ୍ୟ ରାଜନେତାଠାରୁ ନିଆରା କରିଛି । କେବଳ ରାଜ୍ୟବାସୀଙ୍କୁ ସାରଦୀୟ ପୂଜାର ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।