‘ମୋ ଜୀବନ’ କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ମୁଖ୍ୟମନ୍ତ୍ରୀ ଦେଲେ ଆହ୍ବାନ : ଆତ୍ମୀୟଙ୍କ ନାମରେ ନିଅ ଶପଥ, ସତର୍କ ରହି କରୋନାକୁ କର ପ୍ରତିହତ

Published By : Prameya-News7 Bureau | March 24, 2020 IST

ଭୁବନେଶ୍ବର ୨୪।୩: କରୋନାର ଭୟାବହତା ନେଇ ଏବେ ସାରା ରାଜ୍ୟ ତତ୍ପର । କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ବିଭିନ୍ନ ଅପିଲ୍ କରୁଛନ୍ତି । ସେହି ପରିପ୍ରେକ୍ଷୀରେ ମଙ୍ଗଳବାର କରୋନା ମୁକାବିଲା ନେଇ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମସ୍ତେ କରୋନା ଭାଇରସ୍ ସଂପର୍କରେ ଅବଗତ ଅଛନ୍ତି । ଏହି ଭାଇରସ୍ ଚୀନ୍ ରେ ଥିଲା । ଆମେରିକା, ୟୁରୋପରେ ଥିଲା । ପରେ ଇରାନ୍ ରେ ପହଞ୍ଚିଲା । ଦିଲ୍ଲୀରେ ମଧ୍ୟ ପହଞ୍ଚିଲା । ଏବେ ଆମ ଘର ନିକଟରେ ପହଞ୍ଚିଲାଣି । ଆମ ଭଲ ପାଇଁ, ଆମ ପରିବାରର ଭଲ ପାଇଁ ଏହି ଭାଇରସ୍ କୁ ଆମେ ଘରେ ପସାଇବା ନାହିଁ । ସେଥିପାଇଁ ଏହି ଲକ୍ ଡାଉନ୍ କରାଯାଇଛି ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଗତ ୨୦ ବର୍ଷର ସେବା ଭିତରେ ମୁଁ ଯାହା ଅନୁରୋଧ କରିଛି ତାହା ଆପଣମାନେ ରଖିଛନ୍ତି । ଆପଣମାନେ ସବୁ ଅନୁରୋଧକୁ ପାଳନ କରୁଛନ୍ତି । ତେବେ ଏବେ ମୁଁ ଆପଣମାନଙ୍କ ନିକଟରେ ଯେଉଁ ଅନୁରୋଧ ରଖୁଛି ତାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

ମୁଖ୍ୟମନ୍ତ୍ରୀ ପରିବାରର ସୁରକ୍ଷା ଲାଗି ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ସେ ଏକ ନୂଆ କା‌ର୍ଯ୍ୟକ୍ରମ ‘ମୋ ଜୀବନ’ ଆରମ୍ଭ କରିଛନ୍ତି। ଏହି କା‌ର୍ଯ୍ୟକ୍ରମ ଅନୁସାରେ ପ୍ରତି ଓଡିଶାବାସୀ ଘରୁ ନ ବାହାରିବାକୁ ବ୍ୟକ୍ତିଗତ ସ୍ତରରେ ପ୍ରତିଦିନ ଶପଥ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

“ମୁଁ ମୋର ପିଲାଛୁଆ, ବାପାମା’ଙ୍କ ନାମରେ ଶପଥ କରି କହୁଛି ଯେ, ବର୍ତ୍ତମାନ ସମୟରେ ବାହାରକୁ ଯିବି ନାହିଁ। ବାହାରକୁ ଗଲେ କରୋନା ଭାଇରସ୍ ମୋ ସାଥିରେ ମୋ ଘରକୁ ଆସିପାରେ ଏବଂ ମୋ ପରିବାରର କ୍ଷତି କରିପାରେ। ତେଣୁ ମୁଁ ଏବେ ବାହାରକୁ ଯିବି ନାହିଁ। ଯଦି ଜରୁରୀ କାମରେ ଯିବି ତେବେ ଫେରିବା ସମୟରେ ସାବୁନରେ ଭଲ ଭାବରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇ ଘରକୁ ପଶିବି। କରୋନା ଭାଇରସକୁ କେବେ ବି ମୋ ଘରେ ପଶିବାକୁ ଦେବିନାହିଁ। ମୋ ପରିବାର ପାଇଁ ବିପଦର କାରଣ ହେବି ନାହିଁ।”

ଏହି ଶପଥକୁ ପାଠ କରିବା ଏବଂ ଘର ମୁଖ୍ୟାଦ୍ବାରରେ ଲଗାଇବା ସହ ଭିଡିଓ ସୁଟିଂ କରି ପଠାଇବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.