ମାନସିକ ବିକୃତ ଯୁବକଙ୍କ ଆକ୍ରମଣରେ ୨ମୃତ ଘଟଣା; ମୃତକଙ୍କ ପରିବାର ପାଇଁ ଅନୁକମ୍ପା ସହାୟତା ଘୋଷାଣା କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | January 17, 2019 IST

ନୟାଗଡ ୧୭|୧: ନୟାଗଡ ଓଡଗାଁ ସହରରେ ମାନସିକ ବିକୃତ ଯୁବକଙ୍କ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

ସୂଚନା ଅନୁସାରେ ନୟାଗଡ ଓଡଗାଁ ସହରରେ ମାନସିକ ବିକୃତ ଯୁବକ ଆକ୍ରମଣରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଥିଲେ । ଯୁବକଙ୍କୁ କାବୁ କରିବାକୁ ଯାଇ ଖୋଦ୍ ଥାନା ଅଧିକାରୀ ମଧ୍ୟ ଆହତ ହୋଇଥିଲେ । ମାନସିକ ବିକୃତ ଯୁବକ ହେଲେ କୁଶଠିପିର ନିରଞ୍ଜନ ମଲ୍ଲିକ । ତାଙ୍କୁ ପୋଲିସ କାବୁ କରି ମେଡିକାଲରେ ଭର୍ତ୍ତି କରିଛି । ୨ ମୃତକ ହେଲେ ଗୋଡିପଲିର ମଦନୀ ପ୍ରଧାନ ଓ ଜାମୁସାହିର ଲୋଚନ ସେଠୀ । ଲୋଚନ ନିକଟସ୍ଥ ପରିବା ମାର୍କେଟର ରାତ୍ର ଜଗୁଆଳି ଥିଲେ । ସେହିପରି ମଦନୀ ନିଜ ଝିଅର ପ୍ରସବ ପାଇଁ କ୍ଲିନିକକୁ ଯାଉଥିବା ବେଳେ କ୍ଲିନିକରେ ପଶି ଉଭୟ ମା ଓ ଝିଅଙ୍କୁ ଆକ୍ରମଣ କରିଥିଲେ । ସେଥିରେ ମା ମଦନୀର ମୃତ୍ୟୁ ହୋଇଥିବା ବେଳେ ଝିଅ ସୁଲୋଚନାକୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।  ସେହପରି ମଶାବାଡିର ଅମୂଲ୍ୟ ବାରିକ ମନ୍ଦିର ଦର୍ଶନ ପାଇଁ ଯାଉଥିବା ବେଳେ ତାଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ମଧ୍ୟ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଭୋର ୩ଟାରୁ ୫ଟା ମଧ୍ୟରେ ଘଟିଛି ଏଭଳି ଘଟଣା । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଓଡଗାଁ-ଭଞ୍ଜନଗର ରାସ୍ତା ଅବରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.