ଦେବଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ‘ବିରୋଧୀ ଦଳ ମିଛ କଥା କହୁଛନ୍ତି, କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି’

Published By : Prameya-News7 Bureau | May 15, 2024 IST

ଦେବଗଡ ୧୫।୫: ଦେବଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର । ଏତେ ଖରାରେ ଏତେ ଦୂରରୁ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ବି.ଏସ୍‍.କେ.ୱାଇ, ମିଶନ ଶକ୍ତି, ମମତା, କାଳିଆ, ଲକ୍ଷ୍ମୀ ବସ୍‍ ଭଳି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ବିଷୟରେ ଜନମତ ନେଲେ । ମା’ ସମଲେଇ ଏବଂ ପରିକ୍ରମା ପ୍ରକଳ୍ପ ବିଷୟରେ ମତାମତ ନେଲେ । ନବୀନ ପଟ୍ଟନାୟକ ଭଲ କି ? ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନରେ ଭାବବିହ୍ୱଳପୂର୍ଣ୍ଣ ‘ହଁ’ରେ ପ୍ରକମ୍ପିତ ହେଲା ସଭାସ୍ଥଳ । ଜୁଲାଇରୁ ବିଜୁଳି ବିଲ ଆସିବ ନାହିଁ, ବିଜୁ ଜନତା ଦଳ ସରକାର ମାଗଣାରେ ବିଜୁଳି ଦେବେ, ଆପଣମାନେ ଖୁସି ତ ? ଉଚ୍ଚସ୍ୱରରେ ସମବେତ ଜନସାଧାରଣ ‘ହଁ’ ଭରିଲେ । ବିରୋଧୀ ଦଳ ମିଛ କଥା କହୁଛନ୍ତି, କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି । ବିଜୁ ଜନତା ଦଳର ଶଙ୍ଖ ଚିହ୍ନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କଲେ । 

ସେପଟେ ୨୦୧୪ ଏବଂ ୨୦୧୯ ନିର୍ବାଚନ ସମୟରେ ବିଜେପି ଦଳ ଆପଣଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କଲେ କି ବୋଲି ଭି.କେ. ପାଣ୍ଡିଆନ କହିଛନ୍ତି । ବିଜେପିର ମିଛ କଥାକୁ ବୁଝାଇଲେ ପାଣ୍ଡିଆନ । କହିଥିଲେ କ୍ଷମତାକୁ ଆସିଲେ ଦର ଦାମ କମାଇବେ, ତେଲ ଦର କମାଇବୁ, ଏଲ୍‍.ପି.ଜି. ସିଲିଣ୍ଡର ଦର କମାଇବୁ, ଚାଷୀଙ୍କ ପାଇଁ ଏମ୍‍.ଏସ୍‍.ପି ଦୁଇ ଗୁଣ କରିବୁ, ପ୍ରତି ଗାଁକୁ ମୋବାଇଲ କନେକ୍ଟିଭିଟି ଦେବୁ, ଦେବଗଡ଼କୁ ଟ୍ରେନ ସଂଯୋଗ କରିବୁ, କିଛି ହେଲା କି ?  ଏଲ୍‍.ପି.ଜି. ସିଲିଣ୍ଡର ଦର ବୃଦ୍ଧିରେ ମା’ମାନଙ୍କ ଆଖିରେ ଲୁହ ଆସିଯାଉଛି । ବର୍ତ୍ତମାନର ବିଜେପି ଦଳର ସାଂସଦ ପ୍ରାର୍ଥୀ କେନ୍ଦ୍ର ତୈଳ ମନ୍ତ୍ରୀ ଥିଲେ, ତାଙ୍କର ପ୍ରତିଥର ଦସ୍ତଖତ ମା’ମାନଙ୍କୁ କନ୍ଦାଇଛି । ଏଲ୍‍.ପି.ଜି. ଦର ବଢ଼ି ଚାଲିଛି ଚାହିଁଥିଲେ ଦର କମାଇ ପାରିଥାନ୍ତେ କିନ୍ତୁ କମାଇଲେ ନାହିଁ କାରଣ ବଡ଼ ବଡ଼ କମ୍ପାନୀମାନେ କ୍ଷତି ସହିବେ, ସାଧାରଣ ଲୋକଙ୍କ କଥା ପଚାରେ କିଏ ? 

ମା’ ସମଲେଇଙ୍କ ପ୍ରକଳ୍ପ କାମକୁ ବହୁ ବିରୋଧ କରୁଥିଲେ ଏବଂ ବନ୍ଦ କରିବା ପାଇଁ ଚେଷ୍ଟା କରିଥିଲେ କେନ୍ଦ୍ର ମନ୍ତ୍ରୀ, ଏଭଳିକି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଗଲେ । ମା’ ସମଲେଇଙ୍କ ଆଶୀର୍ବାଦ, ନବୀନ ପଟ୍ଟନାୟକଙ୍କ ଆନ୍ତରିକତା ଏବଂ ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ବବି ଦାସଙ୍କ କଠିନ ପରିଶ୍ରମ ଯୋଗୁଁ ଆମେ ଆମ ଲକ୍ଷ୍ୟ ହାସଲ କରି ପ୍ରକଳ୍ପ କାମ ସମ୍ପୂର୍ଣ୍ଣ କଲୁ ।  ଜୁନ୍ ୯ ତାରିଖରେ ପୁନର୍ବାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ନବୀନ ପଟ୍ଟନାୟକଙ୍କ ପ୍ରଥମ ତିନୋଟି ଦସ୍ତଖତ ହେବ, ୧. ବିଜୁଳି ବିଲ୍‍ ଛାଡ, ୨. ବି.ଏସ୍‍.କେ.ୱାଇରେ ସମସ୍ତେ ସାମିଲ ହେବେ, ୩. ୬୦ ବର୍ଷ ପରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା । ଦେବଗଡ଼ରେ ପ୍ରଧାନ ପାଟକୁ ୧ କୋଟି ଟଙ୍କା, ଜିଲ୍ଲା ସଦର ମହକୁମା ଡାକ୍ତରଖାନାକୁ ୧୫୦ କୋଟି ଟଙ୍କା ମାଧ୍ୟମରେ ବିକାଶ କରାଯାଇଛି । ଦେବଗଡ଼ର ୪ ହଜାର କଲେଜ ପିଲାଙ୍କୁ ନୂଆ-ଓ ସ୍କଲାରସିପ୍‍ ଦିଆଯାଇଛି, ଏହା ହେଉଛି ଲୋକାଭିମୁଖୀ ଶାସନର ଉଦାହରଣ । ବର୍ତ୍ତମାନର ସାଂସଦ ପ୍ରାର୍ଥୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଥିଲେ କାହାକୁ ସ୍କଲାରସିପ୍‍ ଦେଇଛନ୍ତି କି ? ଲୋକମାନଙ୍କ ପାଇଁ କିଛି କରିଛନ୍ତି କି ? ଏହା ହେଉଛି ଲୋକବିରୋଧୀ ଶାସନର ପରିଚୟ ବୋଲି ପାଣ୍ଡିଆନ୍ କହିଛନ୍ତି ।

You Can Read :

ଲଞ୍ଚ୍ ହେଲା 'ମୋ ବୁଥ୍’ ଆପ୍, ସହଜରେ ଜାଣି ହେବ କେଉଁଠି ଦେବେ ଭୋଟ୍

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.