ଶାହଙ୍କ ଉପସ୍ଥିତିରେ ବିଏସଏଫ ଅଧିକାରୀଙ୍କ ଉପରେ କ୍ଷୁବ୍ଧ ହେଲେ ମମତା, ଜାଣନ୍ତୁ ଘଟଣା କଣ
17/12/2022 at 7:46 PM

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ଶନିବାର କୋଲକାତାରେ ଇଷ୍ଟର୍ଣ୍ଣ ଜୋନାଲ୍ ପରିଷଦର ବୈଠକ ହୋଇଛି। ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ଥିଲେ। ବୈଠକ ଆରମ୍ଭ ହେବା ପରେ ମମତା ସୀମା ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ ଏବଂ ବିଏସଏଫଙ୍କ ଅଧିକାର କ୍ଷେତ୍ର ବଢାଇବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଛନ୍ତି ଏଥିରେ ସାଧାରଣ ଜନତା ହଇରାଣ ହେଉଛନ୍ତି। ଅନ୍ୟପକ୍ଷେ ବୈଠକରେ ସାମିଲ୍ ବିଏସଏଫ ଅଧିକାରୀ ରାଜ୍ୟ ସରକାର ସହଯୋଗ କରୁନଥିବା ଅଭିଯୋଗ କରିଥିଲେ। ଯାହା ଶୁଣି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ଷୁବ୍ଧ ହୋଇ ପଡିଥିଲେ ଏବଂ ଅଧିକାରୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ବୈଠକରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଉପସ୍ଥିତ ଥିଲେ।
କେନ୍ଦ୍ର ସରକାର ନିୟମରେ ପରିବର୍ତ୍ତନ କରି ବିଏସଏଫକୁ ସୀମାଠୁ ୫୦ କିଲୋମିଟର ଭିତରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଧିକାର ପ୍ରଦାନ କରିଛନ୍ତି। ଏହା ସହିତ ବିଏସଏଫକୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମାଜିଷ୍ଟ୍ରେଟ୍ର ଆଦେଶ କିମ୍ବା ଓ୍ଵାରେଣ୍ଟର ଆବଶ୍ୟକତାକୁ ସମାପ୍ତ କରିଥିଲେ। ପୁରୁଣା ନିୟମ ଅନୁସାରେ ବିଏସଏଫକୁ ମାତ୍ର ୧୫ କିଲୋମିଟର ପରିଧିରେ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ଥିଲା। ତେବେ ମମତା ବାନାର୍ଜୀ ପ୍ରଥମରୁ ହିଁ ବିଏସଏଫଙ୍କ ଅଧିକାର କ୍ଷେତ୍ର ବୃଦ୍ଧି ନିୟମକୁ ବିରୋଧ କରି ଆସିଛନ୍ତି।
ଇଷ୍ଟର୍ଣ୍ଣ ଜୋନ୍ରେ ଥିବା ରାଜ୍ୟଗୁଡିକ ମଧ୍ୟରେ କେବଳ ପଶ୍ଚିମବଙ୍ଗ ଏମିତି ଏକ ରାଜ୍ୟ ଯାହାର ସୀମା ବାଂଲାଦେଶ ସହ ଲାଗି ରହିଛି। ସୀମାରେ ଅନେକ ଅନୁପ୍ରବେଶ ମାମଲା ମଧ୍ୟ ସାମ୍ନାକୁ ଆସି ସାରିଛି। ତେଣୁ କେନ୍ଦ୍ର ସରକାର ଅନୁପ୍ରବେଶ ଉପରେ ଲଗାମ ଲଗାଇବା ପାଇଁ ବିଏସଏଫର ଅଧିକାର କ୍ଷେତ୍ରକୁ ୧୫ କିମିରୁ ବୃଦ୍ଧି କରି ୫୦ କିମି କରିଛନ୍ତି। ଏହା ପରେ ବିଏସଏଫକୁ ଅଧିକ କ୍ଷମତା ମିଳି ଯାଇଛି। ଆଉ ଏହାକୁ ନେଇ ହିଁ ଆପତ୍ତି ପ୍ରକାଶ କରିଛନ୍ତି ମମତା ବାନାର୍ଜୀ।
ପଶ୍ଚିମବଙ୍ଗ ସରକାରଙ୍କ କହିବା କଥା ବିଏସଏଫର ଅଧିକାର କ୍ଷେତ୍ର ବୃଦ୍ଧି କରାଯିବା ରାଜ୍ୟ କ୍ଷେତ୍ରର ହସ୍ତକ୍ଷେପ କରିବା ପରି ସମାନ। ଅଧିକାରୀ କହିଛନ୍ତି ଶନିବାର ଅନୁଷ୍ଠିତ ବୈଠକରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବ ଏବଂ ଓଡିଶାର କ୍ୟାବିନେଟ୍ ମନ୍ତ୍ରୀ ପ୍ରଦୀପ ଅମାତ୍ ବୈଠକରେ ଯୋଗ ଦେଇଥିଲେ। ବୈଠକରେ ସୁରକ୍ଷା ମାମଲା ବ୍ୟତୀତ ଅନ୍ତର୍ଜାତୀୟ ସୀମା ସଂପର୍କିତ ପ୍ରସଙ୍ଗରେ ଆଲୋଚନା ହୋଇଛି।