ହାୱଡା ହିଂସାକୁ ନେଇ ମୁହଁ ଖୋଲିଲେ ମମତା ବାନାର୍ଜୀ, ଜାଣନ୍ତୁ କହିଲେ କ’ଣ?
30/03/2023 at 9:27 PM

କୋଲକାତା ୩୦।୩: ରାମନବମୀ ଅବସରରେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ହୋଇଛି। ଗୁରୁବାର ହାୱଡା କାଜିପାରାରେ ଶୋଭାଯାତ୍ରା ବାହାର କରାଯାଇଥିଲା। କୌଣସି କାରଣରୁ ପରିସ୍ଥିତି ବିଗିଡିଯିବାରୁ ଘଟଣା ଅଗ୍ନିକାଣ୍ଡରେ ରୂପାନ୍ତରିତ ହୋଇଛି। ଉତ୍ତେଜିତ ଲୋକେ ଅନେକ ବାହନ ଓ ଦୋକାନ ପୋଡାଜଳା କରିଛନ୍ତି। ମାମଲାରେ ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୟାନ ଦେଇଛନ୍ତି। ସେ ଏହି ହିଂସାକୁ ଦଙ୍ଗା ବୋଲି କହିଥିବା ବେଳେ ବିଜେପିକୁ ଟାର୍ଗେଟ କରିଛନ୍ତି। ଯାହାର ବିଜେପି ପାଲଟା ଜବାବ ଦେଇଛି।
ନିଜ ବୟାନରେ ମମତା କହିଛନ୍ତି ଯେ ମୁସଲମାନ ବହୁଳ ଅଞ୍ଚଳରେ ଏପରି କାର୍ଯ୍ୟକ୍ରମ ଆୟୋଜନ କାଳରେ ସାବଧାନତା ଅବଲମ୍ବନ କରିବାକୁ ପୂର୍ବରୁ କହିଥିଲି। ଏପରି ସ୍ଥଳରେ କାର୍ଯ୍ୟକ୍ରମ ଆୟୋଜନ ନ କରିବାକୁ ବି ପରମର୍ଶ ଦେଇଥିଲି। ତେବେ ଜାଣି ଶୁଣି ଶୋଭାଯାତ୍ରାର ମାର୍ଗ ବଦଳାଯାଇଥିବା ମମତା ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏଥିରେ ଯଦି ପୋଲିସବାଲାଙ୍କର ସନ୍ଦିଗ୍ଧ ଭୂମିକା ଥାଏ ତେବେ ପୋଲିସ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମମତା ଚେତାଇ ଦେଇଛନ୍ତି।

ହାୱଡା ଶିବପୁରରେ ରାମନବମୀ ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଶୋଭାଯାତ୍ରା ବାହାର କରିଥିଲେ। ଏହି ଶୋଭାଯାତ୍ରା କାଳରେ ହିଂସା ହୋଇଛି। ଯଦିଓ ଏପର୍ଯ୍ୟନ୍ତ ହିଂସାର କାରଣ ଜଣାପଡି ନାହିଁ ତେବେ ଘଟଣାର କିଛି ଭିଡିଓ ଏବେ ସାମ୍ନାକୁ ଆସିଲାଣି। ଏହି ଭିଡିଓରେ ଲୋକେ ଯାନବାହନ ପୋଡାଜଳା କରୁଥିବାର ସ୍ପଷ୍ଟ ଦେଖାଯାଉଛି। ମାମଲାରେ ପୋଲିସ ଅନେକ ଲୋକଙ୍କୁ ଅଟକ ରଖିଥିବା ବେଳେ ପରବର୍ତ୍ତି ଯାଞ୍ଚ ଜାରି ରହିଛି।
ହିଂସାକୁ ନେଇ ମମତା କହିଛନ୍ତି ଯେ ମୋର ଆଖି ଓ କାନ ଉଭୟ ଖୋଲା ଅଛି। ମୋତେ ସବୁ ଦେଖାଯାଉଛି। ମୁଁ ପ୍ରଥମରୁ ଚେତାବନୀ ଦେଇଥିଲି ମୁସଲମାନ ବହୁଳ ଅଞ୍ଚଳକୁ ଶୋଭାଯାତ୍ରା ନେଇ ଯାଆନ୍ତୁ ନାହିଁ। ଯଦି ଯାଉଛନ୍ତି ତେବେ ଅତ୍ୟନ୍ତ ସାବଧାନତା ଅବଲମ୍ବନ କରିବାକୁ ମଧ୍ୟ କହିଥିଲି। ମୁଁ କହିଥିଲି ରାମନବମୀରେ ରାଲି ବାହାର କଲେ ହିଂସା ନିଶ୍ଚିତ ହେବ। ତେବେ ମୁଁ ଶୁଣିବାକୁ ପାଉଛି ହାୱଡାରେ ଦଙ୍ଗା ହୋଇଛି ବୋଲି ସେ କହିଛନ୍ତି। ତେବେ ଶୋଭାଯାତ୍ରାକୁ ବୁଲଡୋଜର ଓ ଖଣ୍ଡା ନେଇ ଯିବାକୁ ଅନୁମତି କିଏ ଦେଇଥିଲା ବୋଲି ମମତା ପ୍ରଶ୍ନ କରିଛନ୍ତି। ଶୁଣୁଛି ହାୱଡା ଦଙ୍ଗାରେ ଲୋକେ ବୁଲଡୋଜର ନେଇ ପହଞ୍ଚିଥିଲେ ବୋଲି ମମତା କହିଛନ୍ତି।

ମମତା କହିଛନ୍ତି ଯେ ପୋଲିସକୁ ସ୍ପଷ୍ଟ ନିର୍ଦ୍ଦେଶ ଥିଲା ଓ ରୁଟ ପୂର୍ବରୁ ଫିକ୍ସ ଥିଲା। ଅନଧିକୃତ ମାର୍ଗରେ ରାଲି ବାହାରିବାର ନଥିଲା। ଯଦି ଏଥି ପାଇଁ ପୋଲିସ ସେମାନଙ୍କୁ ଅନୁମତି ଦେଇଥିଲା ତେବେ ଏଥି ପାଇଁ କଡା ପଦକ୍ଷେପ ନିଆଯିବ ବୋଲି ମମତା କହିଛନ୍ତି। ମୁଁ ଦଙ୍ଗାକାରୀଙ୍କୁ ସମର୍ଥନ କରୁ ନାହିଁ ସେମାନେ ଦେଶଦ୍ରୋହୀ ବୋଲି ମମତା କହିଛନ୍ତି। ବେଙ୍ଗଲ ମୁଖ୍ୟମନ୍ତ୍ରୀ ଶୋଭାଯାତ୍ରା ବାହାର କରିଥିବା ଲୋକଙ୍କ ବିରୋଧରେ ହିଂସା ଓ ଜଳାପୋଡା ଅଭିଯୋଗ କରିଛନ୍ତି।
ମମତା କହିଛନ୍ତି ଯେ ଏହା ରମଜାନର ସମୟ, ଏହି ସମୟରେ ମୁସଲମାନ କୌଣସି ଭୁଲ କାମ କରନ୍ତିନି। ତେବେ ରାଲି ବାହାର କରିବାକୁ କାହାରିକୁ ମନା କରାଯାଇ ନଥିଲା। ହେଲେ ରାଲି ନାମରେ ଦଙ୍ଗାକୁ ଆମେ କେବେବି ପ୍ରଶ୍ରୟ ଦେଇ ପାରିବୁନି ବୋଲି ମମତା ସଫା ସଫା ଶୁଣାଇ ଦେଇଛନ୍ତି। ଏଣୁ ଯେଉଁମାନେ କିଛି ଭୁଲ କରି ନାହାନ୍ତି ସେମାନଙ୍କୁ ଗିରଫ କରାଯିବନି ବୋଲି ମମତା କହିଛନ୍ତି। ହେଲେ ଯେଉଁମାନେ ଦଙ୍ଗା ଭିଆଇଛନ୍ତି ସେମାନଙ୍କୁ ଛଡା ଯିବନାହିଁ ବୋଲି ମଧ୍ୟ ଚେତାଇ ଦେଇଛନ୍ତି।

ତେବେ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଘଟଣାରେ ମମତା ବାନାର୍ଜୀଙ୍କ ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ଯେ ଗତବର୍ଷ ମଧ୍ୟ ହାୱଡାର ଏହି ସ୍ଥାନରେ ହିଂସା ହୋଇଥିଲା। ଏଥିଲାଗି ମୁଁ କୌଣସି ଗୋଟିଏ ସମୂଦାୟକୁ ଦାୟୀ କରୁ ନାହିଁ। ତେବେ ଏହା ପ୍ରଶାସନିକ ବିଫଳତା ବୋଲି ସେ କହିଛନ୍ତି।