ହାଇକୋର୍ଟଙ୍କୁ ଅରବିନ୍ଦ କେଜରିୱାଲଙ୍କ ନିବେଦନ, ଭର୍ଚୁଆଲ କ୍ୟାବିନେଟ୍ ମିଟିଂ ପାଇଁ ମିଳୁ ଅନୁମତି

Published By : Prameya-News7 Bureau | April 17, 2024 IST

ନୂଆଦିଲ୍ଲୀ ୧୭।୪: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ କ୍ୟାବିନେଟ ମନ୍ତ୍ରୀଙ୍କ ସହିତ ଭିଡିଓ କନଫରେନସିଂରେ କଥାବାର୍ତ୍ତା ନିମନ୍ତେ ଅନୁମତି ଦେବାକୁ ଦିଲ୍ଲୀ ହାଇକୋର୍ଟରେ ନୂଆ ଆବେଦନ ଦାଖଲ ହୋଇଛି। ଓକିଲ ଶ୍ରୀକାନ୍ତ ପ୍ରସାଦ ହାଇକୋର୍ଟରେ ଆବେଦନ ଦାଖଲ କରିଥିବା ବେଳେ କେଜରିୱାଲଙ୍କ ନିମନ୍ତେ ଭର୍ଚୁଆଲ କନଫରେନସିଂ ମାଧ୍ୟମରେ କ୍ୟାବିନେଟ ମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା ପାଇଁ ବ୍ୟବସ୍ଥା କରିବାକୁ  ଦାବି କରିଛନ୍ତି। 

ଆବେଦନରେ କୁହାଯାଇଛି ଯେ ଭାରତୀୟ ସମ୍ବିଧାନ ଅଥବା କୌଣସି ଆଇନ ମୁଖ୍ୟମନ୍ତ୍ରୀ ଅଥବା ପ୍ରଧାନମନ୍ତ୍ରୀଙ୍କ ସହିତ କୌଣସି ମନ୍ତ୍ରୀଙ୍କୁ ଜେଲରୁ ସରକାର ଚଳାଇବାରେ ଅଟକାଉ ନାହିଁ। ଏଣୁ କେଜରିୱାଲ ମଧ୍ୟ ଜେଲରୁ ସରକାର ଚଳାଇ ପାରିବେ ଓ ଏଥି ପାଇଁ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ଭିଡିଓ କନଫରେନସିଂରେ କଥାବାର୍ତ୍ତା କରିବାକୁ ଅନୁମତି ଦିଆଯାଉ। କେଜରିୱାଲଙ୍କ ଓକିଲ ହାଇକୋର୍ଟରେ ଦାଖଲ ଆବେଦନରେ ଗଣମାଧ୍ୟମକୁ କେଜରିୱାଲଙ୍କ ଇସ୍ତଫା ଓ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ଚାପ ସୃଷ୍ଟି ନିମନ୍ତେ ଚାଞ୍ଚଲ୍ୟକର ଖବର ପ୍ରସାରଣ କରିବାରୁ ରୋକିବା ପାଇଁ ମଧ୍ୟ ନିବେଦନ କରିଛନ୍ତି। 

ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସୁପ୍ରିମକୋର୍ଟରୁ କୌଣସି ଆଶ୍ୱସ୍ତି ମିଳି ନାହିଁ। ସୁପ୍ରିମକୋର୍ଟ ତାଙ୍କ ଆବେଦନର ଶୀଘ୍ର ଶୁଣାଣି କରିବାକୁ ମନା କରିଦେଇଛନ୍ତି। ଏବେ ସୁପ୍ରିମକୋର୍ଟରେ ଏହି ମାମଲାର ଆଗାମୀ  ଶୁଣାଣି ଏପ୍ରିଲ ୨୯ ତାରିଖରେ ହେବ। କେଜରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂଘଭୀ କହିଥିଲେ ଯେ ପ୍ରଥମ ପର୍ଯ୍ୟାୟ ମତଦାନ ଦେଶରେ ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏଣୁ ତାଙ୍କୁ ଆଶ୍ୱସ୍ତି ଦିଆଯାଉ ଓ ତାଙ୍କ ମାମଲାର ଯଥାଶୀଘ୍ର ଶୁଣାଣି ହେଉ। ତେବେ କୋର୍ଟ ତୁରନ୍ତ କିଛି କରିପାରିବେ ନାହିଁ ବୋଲି କହିଥିଲେ। 

ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାର୍ଚ୍ଚ ୨୧ ତାରିଖରେ ଗିରଫ କରିଥିଲା। ସେ ଏବେ ତିହାର ଜେଲର ବିଚାରବିଭାଗୀୟ ହାଜତରେ ଅଛନ୍ତି। ଏପ୍ରିଲ ୨୯ ତାରିଖ ଦିନ ତାଙ୍କ ବିଚାରବିଭାଗୀୟ ହାଜତ ମିଆଦ ପୁରିବ। ଏହା ପରେ ତାଙ୍କ ଜାମିନ ନିବେଦନ ଉପରେ ଶୁଣାଣି ହେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.