ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ : ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ମିଶନ ଶକ୍ତିଙ୍କୁ ବିନା ସୁଧରେ ଋଣ ପ୍ରଦାନ
26/03/2023 at 2:43 PM

ବ୍ରହ୍ମପୁର ୨୬।୦୩ : ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ । କବିସୂର୍ଯ୍ୟନଗରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ ସହ ଭିତ୍ତି ପ୍ରସ୍ତର ରଖିଛନ୍ତି । ମିଶନ ଶକ୍ତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ମିଶନ ଶକ୍ତିକୁ ବିନା ସୁଧରେ ଋଣ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାସହ ହିତାଧିକାରୀଙ୍କୁ ମଧ୍ୟ ପଟ୍ଟା ବଣ୍ଟନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ମାଆ ମାନେ ବହୁତ ଭଲ କାମ କରୁଛନ୍ତି,ମାଆ ମାନେ ଉଦ୍ୟୋଗୀ ହୁଅନ୍ତୁ, ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ । ମାଆ ମାନଙ୍କ ଉନ୍ନତି ହେଲେ ରାଜ୍ୟର ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ତେବେ କବିସୂର୍ଯ୍ୟନଗର ପରେ ମୁଖ୍ୟମନ୍ତ୍ରୀ ଗସ୍ତ କରିଥିଲେ ହିଞ୍ଜିଳିକାଟୁ। ସେଠାରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ ଘାଟନ କରିଥିଲେ। ଏବଂ ଜନସଭାକୁ ସମ୍ବୋଧନ କରିଥିଲେ। ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ୫୯୦ କୋଟି ଟଙ୍କାରେ ୩୦୦ରୁ ଅଧିକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। କେବଳ ହିଞ୍ଜିଳିରେ ୪ ହଜାର ୫ଶହରୁ ଅଧିକ ଲୋକ ପଟ୍ଟା ପାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ମିଶନ ଶକ୍ତି ମା’ମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯାଉଛି । ଏଥିପାଇଁ ୫ ବର୍ଷରେ ୫୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଆଜି ମିଶନ ଶକ୍ତିର ମା’ମାନଙ୍କୁ ୧୫୬ କୋଟିରୁ ଅଧିକ ଟଙ୍କାର ଋଣ ଦିଆଯାଇଛି । ମା’ମାନଙ୍କ ଉନ୍ନତି ହେଲେ ଦେଶ ସମାଜର ଉନ୍ନତି ହେବ ବୋଲି ସେ କହିଛନ୍ତି ।
ସେହିପରି ଚାଷୀ ଭାଇମାନଙ୍କୁ ମଧ୍ୟ ବିନା ସୁଧରେ ୧ ଲକ୍ଷ ଟଙ୍କା ଋଣ ଦିଆଯାଉଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ 5T ସ୍କୁଲ ରୂପାନ୍ତରଣ, ଶିକ୍ଷା ଓ ସ୍ୱାସ୍ଥ୍ୟକ୍ଷେତ୍ରରେ ୨ଟି ମାଇଲ ଷ୍ଟୋନ୍ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗଞ୍ଜାମରେ ଏପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ଲୋକ ଉପକାର ପାଇଲେଣି । ଏଥିପାଇଁ ରାଜ୍ୟ ସରକାର ୧୯୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କଲେଣି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଛତ୍ରପୁର ଯାଇ ବିଭନ୍ନ ପ୍ରକଳ୍ପର ଶିଳନ୍ଯାସ ଓ ଉଦ୍ ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।