ଭିତିରି କଥା: ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କଲା ବିଜେପି, ଅନ୍ଧାରରେ ଉଦ୍ଧବଙ୍କ ରାଜନୈତିକ ଭବିଷ୍ୟତ !
30/06/2022 at 7:02 PM

ମୁମ୍ୱାଇ: ବିଜେପିର ବର୍ତ୍ତମାନର ଶୀର୍ଷ ନେତୃତ୍ୱ ଚତିକ କଲା ଭଲି ନିଷ୍ପତ୍ତି ପାଇଁ ପରିଚିତ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ପାଇଁ ସମାନ ନିଷ୍ପତ୍ତି ନେଇ ସଭିଙ୍କୁ ଚକିତ କରିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଚୌକି ଏକନାଥ ସିନ୍ଦେଙ୍କୁ ଦେଇ ବିଜେପିର ଶୀର୍ଷ ନେତୃତ୍ୱ ପୁଣି ଥରେ ସମସ୍ତଙ୍କୁ ଚକିତ କରାଇଛି । ଅନୁମାନ କରାଯାଉଥିଲା, ଏକାନାଥ ସିନ୍ଦେ ଏବଂ ତାଙ୍କ ସମର୍ଥକ ବିଜେପିକୁ ସମର୍ଥନ ଜଣାଇବେ ଏହାର ନେତୃତ୍ୱ ଦେବେନ୍ଦ୍ର ଫଡନବିସ ନେବେ। କିନ୍ତୁ ଏବେ ଏକନାଥ ସିନ୍ଦେଙ୍କୁ ମହାରାଷ୍ଟ୍ରର ନାଥ କରାଇ ବିଜେପି ମାଷ୍ଟରଷ୍ଟ୍ରୋକ୍ ଖେଳିଛି । କୌଣସି ରାଜନୈତିକ ପଣ୍ଡିତ ମଧ୍ୟ ଏହାର ଅନୁମାନ କରିପାରି ନଥିଲେ।
ବିଜେପିର ଏହି ତ୍ୟାଗର ଲାଭ ଭବିଷ୍ୟତରେ ମିଳିବାର ଅନୁମାନ କରାଯାଉଛି । ଅନ୍ୟପଟେ ଶିବସେନାର ମୁଖ୍ୟ ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା ଲାଗିଛି । କୁହାଯାଉଛି, ବିଜେପି ଏହି ନିଷ୍ପତ୍ତି ଜରିଆରେ ଉଦ୍ଧବ ଠାକରେଙ୍କୁ କ୍ଷମତାରୁ ହଟାଇବା ପରେ ପାର୍ଟି ଏବଂ ବାଲାସାହେବଙ୍କ ଉତରାଧିକାରୀରୁ ହଟାଇବାକୁ ପ୍ରୟାସ କରିଛି । ଉଲ୍ଲେଖଯୋଗ୍ୟ ଯେ, ଉଦ୍ଧବ ଠାକରେ ଲଗାତାର ଇମୋସନାଲ କାର୍ଡ ଖେଳି, ନିଜକୁ ବାଲାସାହେବ ଠାକରେଙ୍କ ପ୍ରକୃତ ଉତରାଧିକାରୀ ବୋଲି କହୁଥିଲେ। କେବଳ ଏହା ନୁହେଁ ତାଙ୍କ କହିବା ଥିଲା, ସରକାର ସେମାନେ କଲେ ବି, ଶିବସେନା ମୋ ପାଖରେ ରହିବ । ଏପରି ସ୍ଥିତିରେ ବିଜେପି ଶିବସେନାର ବିଦ୍ରୋହୀ ଏକନାଥ ସିନ୍ଦେଙ୍କୁ ସିଏମ କରିଛି । ଫଳରେ ଦଳର ଅଧିକାଂଶ ଲୋକେ ପ୍ରଭାବିତ ହୋଇ ସିନ୍ଦେଙ୍କୁ ସମର୍ଥନ କରିପାରନ୍ତି।
ଯଦି ଏପରି ହୁଏ ତେବେ ଶିବସେନା ଦୁର୍ବଳ ହୋଇଯିବ ଏବଂ ଦୁଇ ଭାଗରେ ବିଭକ୍ତ ଦଳ ଆଗରେ ଭବିଷ୍ୟତ ସୁରକ୍ଷିତ ନ ରହିପାରେ। ଏହାଛଡା ନିଜର ଲାଭ ପାଇଁ ମଧ୍ୟ ବିଜେପି ଏହି ନିଷ୍ପତ୍ତି ନେଇଥାଇ ପାରେ। ୨୦୧୯ରେ ବି ଅଜିତ ପାୱାରଙ୍କ ସହ ମିଶି ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ। କିନ୍ତୁ ୮୦ ଘଣ୍ଟା ବି କ୍ଷମତାରେ ରହିପାରି ନଥିଲେ। ଏପରି ସ୍ଥିତିରେ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ପ୍ରମାଣିତ କରିଛି ଯେ, ସେ କ୍ଷମତାର ଲୋଭି ନୁହେଁ । ଅନ୍ୟପଟେ କିଙ୍ଗ ମେକର ହୋଇ କ୍ଷମତାର ପରିଚାଳନା ମଧ୍ୟ କରିପାରିବ। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ବିହାରରେ ମଧ୍ୟ ବିଜେପି ଏହି ରଣନୀତି ଆପଣାଇଥିଲା। ୨୦୨୦ ବିଧାନସଭା ନିର୍ବାଚନରେ ଅଧିକ ଆସନ ଜିତି ମଧ୍ୟ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ଦେଇଥିଲା।