୨୮୨ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | October 08, 2024 IST

ଭୁବନେଶ୍ୱର ୮।୧୦: ରାଜ୍ୟ ସରକାରଙ୍କ ତିନୋଟି ପ୍ରମୁଖ ବିଭାଗ ଶକ୍ତି ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଇସ୍ପାତ ଓ ଖଣି ବିଭାଗ ଅଧିନସ୍ଥ ଓଡିଶା ଖଣି ନିଗମରେ ୨୮୨ଜଣ ନବ ନିଯୁକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏଥିରେ ଶକ୍ତି ବିଭାଗରେ ୭୯ ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀ ନିଯୁକ୍ତି ପାଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗରେ ଭେଷଜ ନିୟନ୍ତ୍ରଣ ନିର୍ଦ୍ଦେଶକଙ୍କ ଅଧିନରେ ୩୧ ଜଣ ଜୁନିୟର କ୍ଲର୍କ କମ୍ ଟାଇପିଷ୍ଟ, ଆୟୁଷ ନିର୍ଦ୍ଦେଶକଙ୍କ ଅଧିନରେ ୧୯ ଜଣ ଆୟୁର୍ବେଦ ଅଧ୍ୟାପକ ଓ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବ ବିଦ୍ୟାଳୟରେ ୫୪ ଜଣ କନିଷ୍ଠ ସହାୟକ ନିଯୁକ୍ତି ପାଇଛନ୍ତି ଏବଂ ସେହିପରି ଓଡିଶା ଖଣି ନିଗମରେ କନିଷ୍ଠ ଯନ୍ତ୍ରୀ ମେକାନିକାଲ ୧୯, କନିଷ୍ଠ ଯନ୍ତ୍ରୀ ଇଲେକ୍ଟ୍ରିକାଲ ୧୪, କନିଷ୍ଠ ଯନ୍ତ୍ରୀ ସିଭିଲ ୧୬, କନିଷ୍ଠ ଫାର୍ମାସିଷ୍ଟ ୯ ଏବଂ ଇଲେକ୍ଟ୍ରିସିଆନ ୩୦ ଜଣଙ୍କୁ ନିଯୁକ୍ତି ମିଳିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବ ନିଯୁକ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ କହିଥିଲେ ଯେ, ନିଜର ପ୍ରତିଭା, ଦକ୍ଷତା, ଅଧ୍ୟବସାୟ ଓ କଠିନ ପରିଶ୍ରମ ବଳରେ ଏବଂ ନିଜର ଯୋଗ୍ୟତା ଆଧାରରେ ଏହି ସୋପାନକୁ ଆପଣମାନେ ଅତି ସଫଳତାର ସହିତ ଅତିକ୍ରମ କରିପାରିଛନ୍ତି । ଆପଣ ମାନଙ୍କ ଜୀବନରେ ଆଜିର ଦିନଟି ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ହୋଇ ସ୍ମୃତି ପଟ୍ଟରେ ଆଙ୍କି ହୋଇ ରହିବ। ଆପଣ ମାନେ ଯେଉଁ ନିଯୁକ୍ତି ପତ୍ର ଗ୍ରହଣ କରିଛନ୍ତି ତାହା କେବଳ ଏକ ସରକାରୀ ଚାକିରି ନୁହେଁ ବରଂ ଜନସାଧାରଣଙ୍କ ସହିତ ପ୍ରତ୍ୟେକ୍ଷ ଭାବେ କାମ କରିବାର ଏକ ସୁବର୍ଣ୍ଣ ସୁଯୋଗ । ମାନବିକତା ଧର୍ମରେ ବ୍ରତୀ ହୁଅନ୍ତୁ । ନିଜକୁ ଜଣେ ଭଲ ମଣିଷ ଭାବରେ ଗଢ଼ିବା ଦିଗରେ ପ୍ରଯତ୍ନ ହୁଅନ୍ତୁ । ରାଷ୍ଟ୍ର ନିର୍ମାଣ ଓ ଜନସେବାରେ ଆପଣମାନେ ଜଡ଼ିତ ରହି ଦେଶ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ଦିଗରେ ସର୍ବଦା ତତ୍ପର ରୁହନ୍ତୁ । ନିଜକୁ ଜନସେବା ଓ ରାଷ୍ଟ୍ର ଗଠନରେ ସମର୍ପି ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । 

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଇସ୍ପାତ ଓ ଖଣି ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ତିନୋଟି ବିଭାଗର ୧୦ ଜଣଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। 

You Can Read:

ଜମିଜମା ମାମଲାର ହେବ ତ୍ୱରିତ ଫଇସଲା, ଏଣିକି ରାଜସ୍ବ ପରିଷଦର ହେବ ନିୟମିତ ଶୁଣାଣି

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.