ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଘୋଷଣା: କହ୍ନେୟାଲାଲଙ୍କ ହତ୍ୟାକାରୀଙ୍କୁ ଧରିଥିବା ୫ ପୋଲିସ କର୍ମଚାରୀଙ୍କୁ ମିଳିବ ପଦନ୍ନୋତି

Published By : Prameya-News7 Bureau | June 29, 2022 IST

ଜୟପୁର ୨୯/୦୬ : ରାଜସ୍ଥାନର ଉଦୟପୁରରେ କହ୍ନେୟାଲାଲଙ୍କ ନିର୍ମମ ହତ୍ୟା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ହତ୍ୟା ଘଟଣାରେ ଜଡ଼ିତ ଥିବା ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହା ମଧ୍ୟରେ ରାଜସ୍ଥାନର ଅଶୋକ ଗେହଲଟ୍‌ ସରକାର କହ୍ନେୟାଲାଲ ହତ୍ୟା ଘଟଣାର ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ୫ ପୋଲିସ କର୍ମଚାରୀଙ୍କୁ ବିଶେଷ ଉପହାର ଦେଇଛନ୍ତି। ରାଜ୍ୟ ସରକାର ଉଦୟପୁର ଘଟଣାରେ ଜଡ଼ିତ ଥିବା ୨ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିଥିବା ୫ଜଣ ପୋଲିସ କର୍ମଚାରୀ ତେଜପାଲ, ନରେନ୍ଦ୍ର, ଶୌକତ, ବିକାସ ଓ ଗୌତମଙ୍କୁ ଆଉଟ୍‌ ଅଫ୍‌ ଟର୍ମରେ ପ୍ରୋମୋଶୋନ (ପଦନ୍ନୋତି) ଦେବେ ବୋଲି ଘୋଷଣା କରିଛନ୍ତି।  

ବୁଧବାର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଉଦୟପୁର ଘଟଣା କୌଣସି ମାମୁଲି ଘଟଣା ନୁହେଁ ଓ ଯେବେ ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କର ଅନ୍ତରାଷ୍ଟ୍ରୀୟ କିମ୍ୱା ରାଷ୍ଟ୍ରୀୟ ସ୍ଥରରେ କୌଣସି ସମ୍ପର୍କ ନାହିଁ ଏପରି ହୋଇପାରିବ ନାହିଁ। ଯିଏ ହତ୍ୟା କରିଛନ୍ତି ତାଙ୍କର ଉଦ୍ଦେଶ୍ୟ କଣ ଥିଲା, କଣ ଷଡ଼ଯନ୍ତ୍ର ଥିଲା, କାହା ସହିତ ସେମାନେ ସମ୍ପର୍କରେ ଥିଲେ, ସେମାନେ କୌଣସି ରାଷ୍ଟ୍ରୀୟ କିମ୍ୱା ଅନ୍ତରାଷ୍ଟ୍ରୀୟ ଏଜେନ୍ସି ସହ ସମ୍ପର୍କରେ ଥିଲେକି ଏହି ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି। ତଦନ୍ତ ପରେ ଏହାର ଖୁଲାସା ହେବ।   

ସୂଚନାଥାଉକି, ଉଦୟପୁରର ଧାନମଣ୍ଡି ଥାନା ଅଞ୍ଚଳରେ ମଙ୍ଗଳବାର ଦିନ ଦ୍ୱିପ୍ରହରେ ଦୁଇ ମୁସଲମାନ ଯୁବକ କହ୍ନେୟାଲାଲ ନାମକ ଜଣେ ଦରଜୀଙ୍କୁ ମାରଣାସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ସ୍ପଷ୍ଟ ଦିବାଲୋକରେ ଧାନ ମଣ୍ଡିଥାନା ଅଞ୍ଚଳରେ  କହ୍ନେୟାଲାଲ ନାମକ ଜଣେ ଦରଜୀଙ୍କୁ ଗଳା କାଟି ହତ୍ୟା କରାଯାଇଛି ବୋଲି ପୋଲିସ କହିଛି। ଏହି ହତ୍ୟାକାଣ୍ଡରେ ସାମିଲ ଥିବା ୨ ଅଭିଯୁକ୍ତ ରିୟାଜ ମହମ୍ମଦ ଓ ଗୌସ ମହମ୍ମଦଙ୍କୁ ଗିରଫ କରାଯାଇଛି। ରାଜସମନ୍ଦ ଜିଲ୍ଲାର ଭୀମା ଅଞ୍ଚଳରୁ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.