ଦିଲ୍ଲୀ ମଦ ଦୁର୍ନୀତି ମାମଲା: ବଢିପାରେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ସମସ୍ୟା, ପ୍ରଡକ୍ସନ ୱାରେଣ୍ଟ ଜାରି କଲେ କୋର୍ଟ

Published By : Prameya-News7 Bureau | July 09, 2024 IST

ନୂଆଦିଲ୍ଲୀ ୯।୭:  ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଦାଖଲ ତାଜା ଚାର୍ଜସିଟ୍‌ର ସଂଜ୍ଞାନ ନେଇଛନ୍ତି। ସ୍ପେଶାଲ ଜଜ କାବେରୀ ବାୱେଜା ଅରବିନ୍ଦ କେଜରିୱାଲ ଓ ଆମ ଆଦମୀ ପାର୍ଟି (ଆପ) କୁ ଜୁଲାଇ ୧୨ରେ ହାଜର ହେବା ପାଇଁ ପ୍ରଡକ୍ସନ ୱାରେଣ୍ଟ ଜାରି କରିଛନ୍ତି। କୋର୍ଟ ମଙ୍ଗଳବାର ଅବକାରୀ ନୀତି ସମ୍ପର୍କରେ ରୁଜୁ ସପ୍ତମ ସପ୍ଲିମେଣ୍ଟ୍ରି ଚାର୍ଜ ସିଟର ସଂଜ୍ଞାନ ନେଇ ଇଡି ଦ୍ୱାରା ରୁଜୁ ମନି ଲଣ୍ଡ୍ରିଂ ମାମଲାରେ କେଜରିୱାଲଙ୍କ ପ୍ରଡକ୍ସନ ୱାରେଣ୍ଟ ଜାରି କରିଛନ୍ତି। 

କୋର୍ଟ ଇଡି ଦ୍ୱାରା ବିନୋଦ ଚୌହାନଙ୍କ ବିରୋଧରେ ଦାଖଲ ସପ୍ଲିମେଣ୍ଟ୍ରି ଚାର୍ଜସିଟ୍ ର ମଧ୍ୟ ସଂଜ୍ଞାନ ନେଇଛନ୍ତି ଓ ଜୁଲାଇ ୧୨ରେ ତାଙ୍କୁ ମଧ୍ୟ କୋର୍ଟରେ ହାଜର କରିବାକୁ ପ୍ରଡକ୍ସନ ୱାରେଣ୍ଟ ଜାରି କରିଛନ୍ତି। ଇଡି ତାଙ୍କ ଚାର୍ଜସିଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଆପ କୁ ଅଭିଯୁକ୍ତ କରିଛି। ସ୍ପେଶାଲ ଜଜ୍ ଚାର୍ଜସିଟ୍‌ର ସଂଜ୍ଞାନ ନେଇ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୋଧରେ ଆଗକୁ ବଢିବା ଲାଗି ରେକର୍ଡରେ ପର୍ଯ୍ୟାପ୍ତ ସାମଗ୍ରୀ ରହିଛି ଓ ମାମଲାକୁ ଜୁଲାଇ ୧୨ ତାରିଖକୁ ସୂଚୀବଦ୍ଧ କରାଯାଉଛି। 

ଇଡି ଏହି ମାମଲାରେ ମେ ୧୭ ତାରିଖ ଦିନ କେଜରିୱାଲ ଓ ଆପକୁ ଅଭିଯୁକ୍ତ କରି ୨୦୦ ପୃଷ୍ଟାର ଚାର୍ଜସିଟ୍ ଦାଖଲ କରିଥିଲା। ଦିଲ୍ଲୀ ହାଇକୋର୍ଟ ଗିରଫ ଲାଗି ଅନ୍ତରୀଣ ସଂରକ୍ଷଣ ନିମନ୍ତେ କେଜରିୱାଲଙ୍କ ଅନୁରୋଧକୁ ଅସ୍ୱୀକାର କରିବାର କିଛି ଘଣ୍ଟା ପରେ ୫୫ ବର୍ଷ ବୟଷ୍କ ଆପ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ କେନ୍ଦ୍ରୀୟ ଏଜେନ୍ସୀ ମାର୍ଚ୍ଚ ୨୧ ତାରିଖ ଦିନ ଗିରଫ କରିଥିଲା। ଇଡି ଅଭିଯୋଗ କରିଥିଲା ଯେ କେଜରିୱାଲ ନୀତି ନିର୍ମାଣ, ଲାଞ୍ଚ ଯୋଜନା ଓ ଅପରାଧ ଆୟର ଚୂଡ଼ାନ୍ତ ଉପଯୋଗ କାର୍ଯ୍ୟରେ ଆଭ୍ୟନ୍ତରୀଣ ରୂପେ ସାମିଲ । 

କେନ୍ଦ୍ରୀୟ ଏଜେନ୍ସୀ କହିଛନ୍ତି ଯେ କେଜରିୱାଲ ଗୁରୁତର ଆର୍ଥିକ ଅପରାଧରେ ସାମିଲ ଓ ତାଙ୍କୁ ମନିଲଣ୍ଡ୍ରିଂ ଅପରାଧ ସହ ସଂଯୁକ୍ତ କରିବା ଲାଗି ପର୍ଯ୍ୟାପ୍ତ ପ୍ରମାଣ ରହିଛି। ଇଡି କହିଛନ୍ତି ଯେ ଜଣେ ଅନ୍ୟ ଅଭିଯୁକ୍ତ ବିନୋଦ ଚୌହାନ, ଯିଏ ଦିଲ୍ଲୀରୁ ଗୋଆ ପର୍ଯ୍ୟନ୍ତ ୨୫.୫ କୋଟି ଟଙ୍କା ହସ୍ତାନ୍ତରଣର କାମ ସମ୍ଭାଳିଥିଲେ, ସେ ମଧ୍ୟ କେଜରିୱଲଙ୍କ ସହିତ ନିକଟତା ରଖୁଥିଲେ। ଏଜେନ୍ସୀ ଜୁନ ୨୮ ତାରିଖରେ ତାଙ୍କର ଅଷ୍ଟମ ସପ୍ଲିମେଣ୍ଟ୍ରି ଚାର୍ଜସିଟ୍ ଦାଖଲ କରିଥିଲେ, ଯେଉଁଥିରେ ଚୌହାନ ଓ ମାଥୁରଙ୍କୁ ଅଭିଯୁକ୍ତ କରିଥିଲେ। 

ଇଡି ମେ ୩ ତାରିଖ ଦିନ ପ୍ରିଭେନସନ ଅଫ ମନିଲଣ୍ଡ୍ରିଂ ଆକ୍ଟ (ପିଏମଏଲଏ)ରେ ଚୌହାନଙ୍କୁ ଆପର ଗୋଆସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରୁ ଗିରଫ କରିଥିଲା। ଏଥିରେ ମାଥୁର କଥିତ ରୂପେ ଚୌହାନଙ୍କ ସହଯୋଗୀ ବୋଲି କୁହାଯାଇଛି। ତେବେ ମାଥୁରଙ୍କୁ ମାମଲାରେ ଗିରଫ କରାଯାଇ ନଥିଲେ ହେଁ ଅଭିଯୋଗ ଫର୍ଦ୍ଦରେ ଇଡି ତାଙ୍କ ନାମ ରଖିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.