ଆପ୍ ସରକାରର ନୂଆ ଆପ୍ସ୍, ଜାଣିହେବ କେଉଁ କୋଭିଡ୍ ହସ୍ପିଟାଲରେ କେତେ ବେଡ୍ ଖାଲି
2/06/2020 at 1:07 PM

ନୂଆଦିଲ୍ଲୀ, ୦୨|୦୬: ଦିଲ୍ଲୀରେ କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଜନତାଙ୍କୁ ଚିନ୍ତା ନକରିବା ପାଇଁ କହିଛନ୍ତି । ମଙ୍ଗଳବାର କେଜ୍ରିଓ୍ୱାଲ ଲୋକଙ୍କ ସୁବିଧା ପାଇଁ ଏକ ନୂଆ ଆପ୍ ଲଞ୍ଚ୍ କରିଛନ୍ତି । ଏହା କେଉଁ ମେଡିକାଲରେ କେତେ ବେଡ୍ ଖାଲି ରହିଛି ସେନେଇ ସୂଚନା ଦେବ ।
ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ କହିଛନ୍ତି ଯେ, ଦିଲ୍ଲୀରେ କରୋନା ମାମଲା ହୁହୁ ହୋଇ ବଢିବାରେ ଲାଗିଛି । କିନ୍ତୁ ଯଦି କାହା ଘରେ କେହି କରୋନା ସଂକ୍ରମିତ ଥିବା ଜଣାପଡନ୍ତି ସେମାନଙ୍କ ପାଇଁ ହସ୍ପିଟାଲରେ ବେଡ୍, ଅକ୍ସିଜେନ୍ ଓ ଆଇସିୟୁ ବ୍ୟବସ୍ଥା କରାଯାଇଛି । ଏବେ ୬ ହଜାର ୭୩୧ଟି ବେଡ୍ ଅଛି । ଦିଲ୍ଲୀ ହସ୍ପିଟାଲରେ ୨୬୦୦ ଆକ୍ରାନ୍ତ ରହିଛନ୍ତି । ପ୍ରାୟ ୪୧୦୦ ବେଡ୍ ଖାଲି ରହିଛି ।
ଏହି ଆପ୍ ଲଞ୍ଚ୍ କରି କେଜ୍ରିଓ୍ୱାଲ କହିଛନ୍ତି ଯେ, ଲୋକମାନେ କେଉଁ ହସ୍ପିଟାଲରେ ସଂକ୍ରମିତଙ୍କୁ ଭର୍ତ୍ତି କରିବେ ତାହା ଜାଣିପାରୁ ନାହାଁନ୍ତି । ଏହି ସମସ୍ୟାକୁ ଦୂର କରିବା ପାଇଁ ଏହି ଆପ୍ ଜାରି କରାଯାଇଛି । ଏହି ଆପ୍ ହସ୍ପିଟାଲ ବାବଦରେ ସମସ୍ତ ସୂଚନା ଦେବ । କେଉଁ ଘରୋଇ ଓ ସରକାରୀ ହସ୍ପିଟାଲରେ କେତେ ବେଡ୍ ଖାଲି ଅଛି ତାହା ଏହି ଆପ୍ ସାହାଯ୍ୟରେ ଜାଣିହେବ ।