ଅପରାଧୀଙ୍କ ଉପରେ ରହିବ କଡ଼ା ନଜର, ଟ୍ୱିନ୍‌ ସିଟିରେ ଖୋଲିବ ସ୍ବତନ୍ତ୍ର ଅପରାଧ ନିୟନ୍ତ୍ରଣ ଶାଖା

Published By : Prameya-News7 Bureau | December 15, 2021 IST

ଭୁବନେଶ୍ୱର ୧୫।୧୨ : କମିଶନରେଟ୍‌ ପୋଲିସ ଅଧିନରେ ଖୋଲିବ ୩ଟି ନୂଆ ଥାନା । ଭୁବନେଶ୍ବର-କଟକ କମିଶନରେଟ୍‌ ପୋଲିସ ପାଇଁ ସ୍ବତନ୍ତ୍ର ଅପରାଧ ନିୟନ୍ତ୍ରଣ ଶାଖା ଖୋଲାଯିବ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ।

ଖବର ଅନୁଯାୟୀ, ଭୁବନେଶ୍ବର-କଟକ କମିଶନରେଟ୍‌ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ନିମନ୍ତେ ଏହି ଦୁଇ ସହରାଞ୍ଚଳ ପାଇଁ  ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ । ଏଥି ନିମନ୍ତେ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି। ଏହି ଶାଖା ସଂଗଠିତ ଅପରାଧ, ଅର୍ଥନୈତିକ ଅପରାଧ ତଥା ନିଶାଦ୍ରବ୍ୟ ସଂପର୍କିତ ବିଭିନ୍ନ ଅପରାଧ ସଂପର୍କରେ ଅନୁସନ୍ଧାନ କରି ପଦକ୍ଷେପ ନେବେ।  ଜଣେ ଡିସିପିଙ୍କ ଅଧୀନରେ ଏହି ସ୍ବତନ୍ତ୍ର ଶାଖା କାର୍ଯ୍ୟ କରିବ । ଏଥିରେ ଜଣେ ଅତିରିକ୍ତ ଡିସିପି, ୩ଜଣ ଏସିପି, ୯ଜଣ ଇନ୍‌ସପେକ୍ଟର, ୧୨ଜଣ ସବ୍‌-ଇନିସ୍‌ପେକ୍ଟର, ୩ ଜଣ ଏଏସ୍‌ଆଇ (ଯୋଗାଯୋଗ), ୩ ଜଣ କନେଷ୍ଟବଳ (ଯୋଗାଯୋଗ) ଓ ୨୭ ଜଣ କନେଷ୍ଟବଳ।  ଏହିପରି ସର୍ବମୋଟ ୫୯ ଜଣ କର୍ମଚାରୀଙ୍କୁ ନେଇ ଏହି ଶାଖା କାର୍ଯ୍ୟ କରିବ।

ସେହିପରି କମିଶନରେଟ୍‌ ପୋଲିସ ଅଞ୍ଚଳରେ ବର୍ଦ୍ଧିତ ଜନସଂଖ୍ୟା ଦୃଷ୍ଟିରୁ ଲୋକଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇଦେବା ପାଇଁ ଖୋଲିବ ୩ଟି ନୂଆ ଥାନା । ଏନେଇ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହି ନୂଆ ଥାନା ଗୁଡିକ ହେଲା – ପାହାଳ, ଇନ୍‌ଫୋଭାଲି ଓ ୪୨ମୌଜା/ବେଣ୍ଟକାର । ବାଲିଅନ୍ତା ଥାନା ଅଧୀନରେ କାମ କରୁଥିବା ପାହାଳ ଫାଣ୍ଡି, ଜଟଣୀ ଥାନା ଅଧୀନରେ କାମ କରୁଥିବା ଇନ୍‌ଫୋଭାଲି ଫାଣ୍ଡି ଓ କଟକ ସଦର ଥାନା ଅଧୀନରେ କାମ କରୁଥିବା ବେଣ୍ଟକାର ଫାଣ୍ଡିକୁ ଉନ୍ନତି କରାଯାଇ ୩ଟି ନୂତନ ଥାନା ସୃଷ୍ଟି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.