ଆଗାମୀ ୬ ଦିନ କୋହଲା ପାଗ, ଘଡ଼ଘଡ଼ି ସହ ହେବ ଝିପିଝିପି ବର୍ଷା

Published By : Prameya-News7 Bureau | February 26, 2024 IST

ଭୁବନେଶ୍ଵର: କୋହଲା ପାଗ ସାଙ୍ଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି। ବଙ୍ଗୋପ ସାଗରରେ ପ୍ରବାହିତ ଥଣ୍ଡା ବାୟୁ ପ୍ରଭାବରେ ତାପମାତ୍ରା କମିବାରୁ ଗରମରୁ ଆଶ୍ଵସ୍ତି ମିଳିଛି। ମାର୍ଚ୍ଚ ୬ ତାରିଖ ଯାଏଁ ଏଭଳି କୋହଲା ପାଗ ରହିବା ସହ ୬ ଦିନ ଯାଏଁ ଲାଗି ରହିବ ବର୍ଷା। ଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେହିପରି ୬ ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବ ବୋଲି କହିଛନ୍ତି ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ସାହୁ।

wp:heading {"level":4}

Also read-ପରିକ୍ରମା ପ୍ରକଳ୍ପ ପରେ ହେବ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର, ଆରମ୍ଭ ହେଲା ଓବିସିସି ଖନନ କାର୍ଯ୍ୟ

/wp:heading

ନିମ୍ନ ଚାପରେଖା ସହ ବଙ୍ଗୋପ ସାଗରରୁ ଆସୁଛି ଥଣ୍ଡା ବାୟୁ ପ୍ରବାହ। ଯାହା ପ୍ରଭାବରେ ସାରା ରାଜ୍ୟରେ କମିଛି ଦିନ ତାପମାତ୍ରା। ୪ ଦିନ ପୂର୍ବରୁ ୧୦  ଜିଲ୍ଲାର ତାପମାତ୍ରା ୩୦ ଡିଗ୍ରୀ ଉପରେ ରହୁଥିବା ବେଳେ, ଏବେ କୌଣସି ଜିଲ୍ଲାରେ ୩୦ ଡେଇଁନି ତାପମାତ୍ରା। ଗଞ୍ଜାମ ସାନଖେମୁଣ୍ଡିରେ ସର୍ବାଧିକ ୧୨୩ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ପୋଲସରାରେ ୭୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ, ଭୁବନେଶ୍ୱର ସମେତ, ଗଞ୍ଜାମ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱରରେ ବର୍ଷା ହୋଇଛି।

ଉତ୍ତର ଓଡିଶାରେ ମେଘୁଆ ପାଗ ସୃଷ୍ଟି ହେବା ସହ ମଙ୍ଗଳବାର ଦିନ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେହିପରି ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ। ୬ ଦିନ ଯାଏଁ ଲାଗି ରହିବ ବର୍ଷା। ୨୮ ତାରିଖକୁ ଛାଡିଲେ ପ୍ରତିଦିନ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଫେବୃଆରୀ ଆରମ୍ଭରୁ ତାପମାତ୍ରାରେ ପରିବର୍ତ୍ତନ ସହ ବଢିଥିଲା ଦିନ ତାପମାତ୍ରା। ହେଲେ ୩ ଦିନ ହେବ ତାପମାତ୍ରା କମିବା ସହ ଗ୍ରୀଷ୍ମରୁ ଆଶ୍ବସ୍ତି ମିଳିଛି। ମଙ୍ଗଳବାର ସୁନ୍ଦରଗଡ଼, କେନ୍ଦୁଝର, ଝାରୁସୁଗୁଡା ଭଳି ଜିଲ୍ଲାରେ  ବର୍ଷା ହେବ। ତାପମାତ୍ରା ହ୍ରାସ ସହ ଭୁବନେଶ୍ୱରରେ ସର୍ବାଧିକ ୨୯.୮ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ୬ ତାରିଖ ପରେ କୋହଲା ପାଗ ହଟିବା ସହ ତାପମାତ୍ରା ବୃଦ୍ଧି ହେବ ବୋଲି କହିଛନ୍ତି ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ସାହୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.