ନୂଆଦିଲ୍ଲୀ: ଲଗାତାର ଦ୍ୱିତୀୟ ଦିନରେ ଭାରତୀୟ ସେୟାର ବଜାରରେ ଜୋରଦାର ବୃଦ୍ଧି ଦେଖିବାକୁ ମିଳିଛି । ସେନ୍ସେକ୍ସ ୧୫୭୭ ପଏଣ୍ଟ ବଢି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ପୁଣି ଥରେ ୨୩,୩୦୦ ପଏଣ୍ଟର ଗୁରୁତ୍ୱପୂର୍ଣ୍ଣ ସ୍ତର ଉପରକୁ ଉଠି ବନ୍ଦ ହୋଇଛି । ରିୟଲ୍ଟି, ବ୍ୟାଙ୍କିଂ ଓ ଅଟୋ ସେୟାରରେ ସବୁଠୁ ଅଧିକ କିଣାକିଣି ଦେଖିବାକୁ ମିଳିଥିଲା । ଏହି କାରଣରୁ ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକ ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୧୦.୭ ଲକ୍ଷ କୋଟି ଟଙ୍କା ବଢିଛି । ବିଏସ୍ଇ ମିଡ୍କ୍ୟାପ୍ ଓ ସ୍ମଲ୍କ୍ୟାପ୍ ଇଣ୍ଡେକ୍ସ ମଧ୍ୟ ୩ ପ୍ରତିଶତରୁ ଅଧିକ ବଢି ବନ୍ଦ ହୋଇଛି ।
ଆଜିର ଏହି ବୃଦ୍ଧି ପଛର ପ୍ରମୁଖ କାରଣ ହେଉଛି ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଟାରିଫ୍କୁ ନେଇ କୋହଳ ଅଭିମୁଖ୍ୟ । ଟ୍ରମ୍ପ ସ୍ମାର୍ଟଫୋନ୍ ଓ କମ୍ପ୍ୟୁଟର୍ ଉପରେ ଟାରିଫ୍ ରହାତି ନେଇ ଘୋଷଣା କରିଥିଲେ, ଏହାସହ ଅଟୋ ଟାରିଫ୍ ଉପରେ ବର୍ତ୍ତମାନ ସମୟରେ ରୋକ୍ କଥା କହିଛନ୍ତି । ଏହି କାରଣରୁ ଗ୍ଲୋବାଲ୍ ମାର୍କେଟ୍ ଆଶ୍ୱସ୍ତ ହୋଇଛି ଓ ଭାରତୀୟ ନିବେଶକ ମଧ୍ୟ ଏହାକୁ ଆପଣାଇଛନ୍ତି ।
କାରବାର ଶେଷରେ ବିଏସ୍ଇ ସେନ୍ସେକ୍ସ ୧୫୭୭.୬୩ ଅଙ୍କ ବା ୨.୧୦ ପ୍ରତିଶତ ବୃଦ୍ଧି ପାଇ ୭୬,୭୩୪.୮୯ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍ଏସ୍ଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୫୦୦ ଅଙ୍କ ବା ୨.୧୯ ପ୍ରତିଶତ ବଢି ୨୩,୩୨୮.୫୫ ସ୍ତରରେ ବନ୍ଦ ହୋଇଛି ।
ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ ମାର୍କେଟ୍ କ୍ୟାପ୍ ଆଜି ବଢି ୪୧୨.୨୯ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଅର୍ଥାତ୍ ଏପ୍ରିଲ୍ ୧୧ରେ ୪୦୧.୫୫ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍ଇରେ ସୂଚୀବଦ୍ଧ କମ୍ପାନିର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ୧୦.୭୪ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ଆଜି ପ୍ରାୟ ୧୦.୭୪ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି । ବିଏସ୍ଇ ସେନ୍ସେକ୍ସର ୩୦ ମଧ୍ୟରୁ ୨୮ ସେୟାର ଆଜି ସବୁଜ ସଂକେତରେ ବନ୍ଦ ହୋଇଛି । ଇଣ୍ଡସଇଣ୍ଡ ବ୍ୟାଙ୍କ ସେୟାରରେ ଆଜି ସବୁଠୁ ଅଧିକ ୬.୮୪ ପ୍ରତିଶତ ବଢିଛି ।