ସେୟାର ବଜାରରେ ହାହାକାର, ୯୦୦ ଅଙ୍କ କମିଲା ସେନସେକ୍ସ; ନିବେଶକ ହରାଇଲେ ୪ ଲକ୍ଷ କୋଟି ଟଙ୍କା

Published By : Prameya-News7 Bureau | March 13, 2023 IST

ନୂଆଦିଲ୍ଲୀ: ବିଶ୍ୱ ବଜାରରେ ଦୁର୍ବଳ ସଂକେତ ମଧ୍ୟରେ ସୋମବାର ଘରୋଇ ପୁଞ୍ଜି ବଜାର ବଡ଼ ହ୍ରାସ ସହ ବନ୍ଦ ହୋଇଛି । ସେନସେକ୍ସ ୯୦୦ ଅଙ୍କ ତଳକୁ ଖସି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୧୭,୨୦୦ ଅଙ୍କ ତଳକୁ ଖସି ଆସିଛି । ଲଗାତାର ତୃତୀୟ କାରବାର ଦିନରେ ଦୁଇ ପ୍ରମୁଖ ସୂଚକାଙ୍କ ହ୍ରାସ ସହ ବନ୍ଦ ହୋଇଛି । ବ୍ରଡର ମାର୍କେଟରେ ଏହି ହ୍ରାସ ଆହୁରି ଅଧିକ ରହିଛି । ବିଏସଇର ମିଡକ୍ୟାପ୍ ଏବଂ ସ୍ମଲକ୍ୟାପ୍ ସୂଚକାଙ୍କ ଯଥାକ୍ରମେ ୧.୮୨ ପ୍ରତିଶତ ଏବଂ ୧.୯୯ ପ୍ରତିଶତ ହ୍ରାସ ସହ ବନ୍ଦ ହୋଇଛି । ସବୁ ସେକ୍ଟରର ସୂଚକାଙ୍କ ମଧ୍ୟ ଲାଲ ସଂକେତରେ ବନ୍ଦ ହୋଇଛି । ବ୍ୟାଙ୍କିଂ, ଫାଇନାନସିଆଲ ସର୍ଭିସେଜ୍, ଅଟୋ ଏବଂ ଟେଲି କମ୍ୟୁନିକେସନ ସେକ୍ଟରରେ ସବୁଠୁ ଅଧିକ ବିକ୍ରି ଦେଖିବାକୁ ମିଳିଛି । ସବୁ ଆଡେ ହ୍ରାସ ଯୋଗୁଁ ସେୟାର ବଜାରରେ ଆଜି ନିବେଶକଙ୍କ ପ୍ରାୟ ସାଢେ ୪ ଲକ୍ଷ କୋଟି ଟଙ୍କା ବୁଡି ଯାଇଛି ।

କାରବାର ଶେଷରେ ବିଏସଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସରେ ୮୯୭.୨୮ ଅଙ୍କ ତଥା ୧.୫୨ ପ୍ରତିଶତ ହ୍ରାସ ସହ ୫୮,୨୩୭.୮୫ ଅଙ୍କରରେ ବନ୍ଦ ହୋଇଛି । ସେହିପରି ଏନଏସଇର ନିଫ୍ଟି ୨୫୭.୪୦ ଅଙ୍କ ତଥା ୧.୪୮ ପ୍ରତିଶତ କମି ୧୭,୧୫୫.୫୦ ସ୍ତରରେ ବନ୍ଦ ହୋଇଛି ।

ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡିକର ମୋଟ ବଜାର ପୁଞ୍ଜି ଆଜି କମି ୨୫୮.୭୩ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି । ପୂର୍ବ କରାବର ଦିନ ଶୁକ୍ରବାର ଏହା ୨୬୨.୯୪ ଲକ୍ଷ କୋଟି ଟଙ୍କା ରହିଥିଲା । ଏହିପରି ବିଏସଇରି ସୂଚୀବଦ୍ଧ କମ୍ପାନିଗୁଡିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୪.୨୧ ଲକ୍ଷ କୋଟି ଟଙ୍କା କମିଛି । ସରଳ ଶବ୍ଦରେ କହିବାକୁ ଗଲେ ଆଜି ନିବେଶକଙ୍କ ସମ୍ପତ୍ତି ୪.୨୧ ଲକ୍ଷ କୋଟି କମିଛି ।  

ସେୟାର ବଜାରରେ ବିକ୍ରି ଏତେ ଅଧିକ ରହିଥିଲା ଯେ ସେନସେକ୍ସରେ ସାମିଲ ୩୦ ସେୟାର ମଧ୍ୟରୁ କେବଳ ଗୋଟିଏ ହିଁ ବୃଦ୍ଧି ସହ ବନ୍ଦ ହୋଇଛି । ଟେକ୍ ମହିନ୍ଦ୍ରା ଆଜି ୬.୮୩ ପ୍ରତିଶତ ବଢି ପ୍ରତି ସେୟାର ୧,୧୩୩.୬୦ ଟଙ୍କାରେ ବନ୍ଦ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.