୪୦୦ ଅଙ୍କ ବଢି ୬୦ ହଜାର ଟପିଲା ସେନସେକ୍ସ, ନିଫ୍ଟି ୧୭,୭୦୦ ଉପରେ, ଦୁଇ ଦିନରେ ୫.୫ ଲକ୍ଷ କୋଟି ବଢିଲା ନିବେଶକଙ୍କ ସମ୍ପତ୍ତି

Published By : Prameya-News7 Bureau | March 06, 2023 IST

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ସୋମବାର ଲାଗାତାର ଦ୍ୱିତୀୟ ଦିନରେ ଲାଭ ସହ ବନ୍ଦ ହୋଇଛି । ସେନସେକ୍ସ ୪୧୫ ଅଙ୍କ ବଢିଥିବା ବେଳେ ନିଫ୍ଟି ୧୭,୭୦୦ ଉପରେ ବନ୍ଦ ହୋଇଛି । ଗତ ଦୁଇ ଦିନରେ ବିଏସଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ପ୍ରାୟ ୧,୩୦୦ ଅଙ୍କ ଅର୍ଥାତ୍ ୨.୨୫ ପ୍ରତିଶତ ବଢିଛି । ଏହା ଫଳରେ ସେୟାର ବଜାର ନିବେଶକଙ୍କ ସମ୍ପତ୍ତି ଦୁଇ ଦିନରେ ପ୍ରାୟ ୫.୫ ଲକ୍ଷ କୋଟି ଟଙ୍କା ବଢିଛି । କେବଳ ସୋମବାର ନିବେଶକଙ୍କୁ ୨ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି ।

ଆଜି ସେନସେକ୍ସ ୪୧୫.୪୯ ଅଙ୍କ ଅର୍ଥାତ୍ ୦.୬୯ ପ୍ରତିଶତ ବଢି ୬୦,୨୨୪.୪୬ ଅଙ୍କରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୧୧୭.୧୦ ଅଙ୍କ ଅର୍ଥାତ୍ ୦.୬୭ ପ୍ରତିଶତ ବଢି ୧୭,୭୧୧.୪୫ ସ୍ତରରେ ବନ୍ଦ ହୋଇଛି । ଆଜିର କାରବାରରେ ପାୱାର ଏବଂ ୟୁଟିଲିଟିର ସେୟାର ଗୁଡିକରେ ସବୁଠୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି । ଏହାଛଡା ବିଏସଇରେ ଅଏଲ ଆଣ୍ଡ ଗ୍ୟାସ, ଆଇଟି ଏବଂ ଟେକ୍ ସେୟାର ସୂଚକାଙ୍କ ମଧ୍ୟ ୧ ପ୍ରତିଶତ ବଢି ବନ୍ଦ ହୋଇଛି । ବିଏସଇର ମିଡକ୍ୟାପ୍ ଏବଂ ସ୍ମଲକ୍ୟାପ୍ ଇଣ୍ଡେକ୍ସ ମଧ୍ୟ ଯଥାକ୍ରମେ ୦.୭୪ ପ୍ରତିଶତ ଏବଂ ୦.୯୦ ପ୍ରତିଶତ ବୃଦ୍ଧି ସହ ବନ୍ଦ ହୋଇଛି ।

ବିଏସଇର ତାଲିକାଭୁକ୍ତ କମ୍ପାନି ଗୁଡିକର ମୋଟ ବଜାର ପୁଞ୍ଜି ସୋମବାର ବଢି ୨୬୫.୪୯ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଶୁକ୍ରବାର ଏହା ୨୬୩.୪୨ ଲକ୍ଷ କୋଟି ଟଙ୍କା ରହିଥିଲା । ଏହିପରି ବିଏସଇରେ ଲିଷ୍ଟେଡ୍ କମ୍ପାନି ଗୁଡିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୨.୦୭ ଲକ୍ଷ କୋଟି ଟଙ୍କା ବଢିଛି । ଗତ ଦୁଇ କାରବାର ଦିନରେ ବିଏସଇର ସମସ୍ତ କମ୍ପାନିର ମାର୍କେଟ୍ କ୍ୟାପ ପ୍ରାୟ ୫.୫ ଲକ୍ଷ କୋଟି ଟଙ୍କା ବଢିଛି । ସରଳ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କ ସମ୍ପତ୍ତିରେ ୫.୫ ଲକ୍ଷ କୋଟି ଟଙ୍କା ବଢିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.