ନିବେଶକଙ୍କୁ ଲାଗିଲା ଝଟକା, ଗୋଟିଏ ଦିନରେ ବୁଡିଗଲା ୩.୬୪ ଲକ୍ଷ କୋଟି ଟଙ୍କା

Published By : Prameya-News7 Bureau | February 01, 2023 IST

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ବୁଧବାର ବଜେଟ୍ ଦିନ ବେଶ ଅସ୍ଥିର ରହିଥିବା ଦେଖିବାକୁ ମିଳିଥିଲା । ବଜେଟ୍ ପୂର୍ବ କାରବାରରେ, ସେୟାର ବାଜରରେ ଜୋରଦାର ବୃଦ୍ଧି ଦେଖିବାକୁ ମିଳିଥିଲା । ସେନସେକ୍ସ ଗୋଟିଏ ସମୟରେ ୧,୨୦୦ ଅଙ୍କ ଉପରକୁ ଉଠିଥିଲା । ତେବେ ବଜେଟ୍ ଭାଷଣ ଶେଷ ହେବା ପରେ ବଜାର ଧିରେ ଧିରେ ତଳକୁ ଖସିବା ଆରମ୍ଭ କରିଥିଲା । ଶେଷରେ ୧୫୮ ଅଙ୍କ ବୃଦ୍ଧି ସହ ଘରୋଇ ପୁଞ୍ଜି ବଜାର କାରବାର ବନ୍ଦ କରିଥିଲା । ଅନ୍ୟପଟେ ନିଫ୍ଟି ୪୫.୮୫ ଅଙ୍କ ହ୍ରାସ ସହ ଲାଲ ସଂକେତରେ ବନ୍ଦ ହୋଇଛି । କ୍ଷୁଦ୍ର ଏବଂ ମଧ୍ୟମ ଧରଣର ସେୟାର ସୂଚକାଙ୍କ ମଧ୍ୟ ପ୍ରାୟ ୧ ପ୍ରତିଶତ ଖସି ବନ୍ଦ ହୋଇଛି ।

ସବୁଠୁ ଅଧିକ ହ୍ରାସ ଇନସ୍ୟୁରାନ୍ସ କମ୍ପାନି ଗୁଡିକରେ ଦେଖିବାକୁ ମିଳିଛି । ବଜେଟରେ ବୀମା ଆୟ ଉପରେ ଟିକସ ଛାଡ ସୀମାକୁ ସୀମିତ କରାଯିବା ଉପରେ ପ୍ରସ୍ତାବ ଦିଆଯାଇଛି, ଏହାପରେ ଇନସ୍ୟୁରାନ୍ସ ସେକ୍ଟର ଚାପରେ ରହିଛି । ଅନ୍ୟପଟେ ଆଦାନୀ ଗ୍ରୁପର ସେୟାର ମୂଲ୍ୟରେ ଆଜି ମଧ୍ୟ ହ୍ରାସ ଦେଖିବାକୁ ମିଳିଛି । ଏହିସବୁ ହ୍ରାସ ଯୋଗୁଁ ବଜେଟ୍ ଦିନ ନିବେଶକଙ୍କୁ ପ୍ରାୟ ୩.୬୪ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ।

ବୁଧବାର ବିଏସଇ ସେନସେକ୍ସରେ ୧୫୮.୧୮ ଅଙ୍କର ବୃଦ୍ଧି ୫୯,୭୦୮.୦୮ ଅଙ୍କରେ ବନ୍ଦ ହୋଇଥିଲା । ଅନ୍ୟପଟେ ଏନଏସଇର ନିଫ୍ଟି ୪୫.୮୫ ଅଙ୍କ ହ୍ରାସ ହୋଇ ୧୭,୬୧୬.୩୦ର ସ୍ତରରେ ବନ୍ଦ ହୋଇଛି । ବିଏସଇରେ ସୂଚୀବଦ୍ଧ କମ୍ପାନି ଗୁଡିକର ମୋଟ ବଜାର ପୁଞ୍ଜି ବୁଧବାର ହ୍ରାସ ହୋଇ ୨୬୬.୫୯ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି । ଗୋଟିଏ ଦିନ ପୂର୍ବେ ଜାନୁଆରୀ ୩୧ରେ ଏହା ୨୭୦.୨୩ ଲକ୍ଷ କୋଟି ଟଙ୍କା ରହିଥିଲା । ବିଏସଇର କମ୍ପାନି ଗୁଡିକର ମାର୍କେଟ୍ କ୍ୟାପ ଆଜି ପ୍ରାୟ ୩.୬୪ ଲକ୍ଷ କୋଟି ଟଙ୍କା କମ ହୋଇଛି । ଅବା ଅନ୍ୟ ଶବ୍ଦରେ କହିବାକୁ ଗଲେ ଆଜି ନିବେଶକଙ୍କ ସମ୍ପତ୍ତି ୩.୬୪ ଲକ୍ଷ କୋଟି ଟଙ୍କା କମିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.