ସେୟାର ବଜାରରେ ହ୍ରାସ ଜାରି, ସେନସେକ୍ସ ୩୩୮ ଅଙ୍କ ଖସିଲା, ନିବେଶକଙ୍କୁ ୨ ଲକ୍ଷ କୋଟି ଟଙ୍କା କ୍ଷତି
14/03/2023 at 5:58 PM

ନୂଆଦିଲ୍ଲୀ: ବିଶ୍ୱ ବଜରାରେ ଦୁର୍ବଳ ସଂକେତ ଯୋଗୁଁ ଲଗାତାର ଚତୁର୍ଥ ଦିନରେ ଘରୋଇ ପୁଞ୍ଜି ବଜାର ହ୍ରାସ ସହ ବନ୍ଦ ହୋଇଛି । ଆଇଟି, ମେଟାଲ ଏବଂ ପିଏସୟୁ ବ୍ୟାଙ୍କ ଗୁଡିକର ସେୟାର ବିକ୍ରି ଯୋଗୁଁ ସେନସେକ୍ସ ୩୩୮ ଅଙ୍କ ତଳକୁ ଖସିଛି, ସେହିପରି ନିଫ୍ଟି ୧୧୧ ଅଙ୍କ କମି ୧୭,୧୦୦ ତଳକୁ ଖସି ଆସିଛି । ବିଏସଇର ମିଡକ୍ୟାପ୍ ସୂଚକାଙ୍କରେ ୦.୫ ପ୍ରତିଶତ ଏବଂ ସ୍ମଲକ୍ୟାପ ସୂଚକାଙ୍କରେ ପ୍ରାୟ ୧ ପ୍ରତିଶତ ହ୍ରାସ ରେକର୍ଡ କରାଯାଇଛି ।
ବିଏସଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ୩୩୭.୬୬ (୦.୫୮ ପ୍ରତିଶତ) ହ୍ରାସ ହୋଇ ୫୭,୯୦୦.୧୯ ଅଙ୍କ ସ୍ତରରେ ବନ୍ଦ ହୋଇଛି । କାରବାର ସମୟରେ ସେନସେକ୍ସ ଏକଦା ୫୮,୪୯୦.୯୮ ସ୍ତରରେ ପହଞ୍ଚିଥିଲା । ଏହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧୧୧ ଅଙ୍କ (୦.୬୫ ପ୍ରତିଶତ) କମି ୧୭,୦୪୩.୩୦ ସ୍ତରରେ ବନ୍ଦ ହୋଇଛି । ଏହି ହ୍ରାସ ଯୋଗୁଁ ସେୟାର ବଜାର ନିବେଶକଙ୍କୁ ଆଜି ୨ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ।
ବିଏସଇର ସୂଚୀବଦ୍ଧ କମ୍ପାନି ଗୁଡିକର ମୋଟ ବଜାର ପୁଞ୍ଜି ମଙ୍ଗଳବାର ୨୫୬.୫୫ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି । ଏହାର ପୂର୍ବ କାରବାର ଦିନରେ ଏହା ୨୫୮.୫୬ ଲକ୍ଷ କୋଟି ଟଙ୍କା ରହିଥିଲା । ଏହିପରି ବିଏସଇରେ ସୂଚୀବଦ୍ଧ କମ୍ପାନି ଗୁଡିକର ମାର୍କେଟ୍ କ୍ୟାପ୍ ଆଜି ୨.୦୧ ଲକ୍ଷ କୋଟି କମ ହୋଇଛି ।
ଏସିଆର ଅନ୍ୟ ବଜାର ମଧ୍ୟରେ ଚୀନର ସଂଘାଇ ସମ୍ପୋଜିଟ୍ ସୂଚକାଙ୍କ, ଜାପାନର ନିକ୍କି, ହଂକଂର ହେଙ୍ଗସେଙ୍ଗ ଏବଂ ଦକ୍ଷିଣ କୋରିଆର କସ୍ପି ମଧ୍ୟ ହ୍ରାସ ସହ ବନ୍ଦ ହୋଇଛି । ତେବେ ୟୁରୋପର ପ୍ରମୁଖ ବଜାର ଗୁଡିକରେ ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ।