ନିବେଶକଙ୍କ ବୁଡିଲା ୭.୪ ଲକ୍ଷ କୋଟି ଟଙ୍କା, କରୋନା ଭୟରେ ତିନି ଦିନରେ ୧୦୦୦ ଅଙ୍କ ତଳକୁ ଖସିଲା ସେନସେକ୍ସ

Published By : Prameya-News7 Bureau | December 22, 2022 IST

ମୁମ୍ୱାଇ: ବିଶ୍ୱ ବଜାରରେ ବୃଦ୍ଧି ସତ୍ତ୍ୱେ ଭାରତୀୟ ସେୟାର ବଜାର ପାଇଁ ଗୁରୁବାର ବେଶ ନିରାଶାଜନକ ଥିଲା । କରୋନା ଭୟର ଆଶଂକା ଯୋଗୁଁ ସରକାର ଉଚ୍ଚସ୍ତରୀୟ ବୈଠକ କରୁଛନ୍ତି, ଅନ୍ୟପଟେ କଟକଣା ଏବଂ ଅର୍ଥବ୍ୟବସ୍ଥାକୁ ହେବାକୁ ଥିବା କ୍ଷତିକୁ ନେଇ ସେୟାର ବଜାରରେ ଭୟର ମାହୋଲ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନାକୁ ନେଇ ଉଚ୍ଚସ୍ତରୀୟ ବୈଠକ କରିବାକୁ ଯାଉଥିବା ଖବର ସହ ସବୁଜ ସଂକେତ ଉପରେ ଖୋଲିଥିବା ପୁଞ୍ଜି ବଜାର ତଳମୁହାଁ ହୋଇଥିଲା । ସାରା ଦିନରେ ବଜାର ଉପର-ତଳ ହୋଇଥିଲା । କାରବାର ବନ୍ଦ ହେବା ପରେ ବିଏସଇ ସେନସେକ୍ସ ୨୪୧ ଅଙ୍କ ହ୍ରାସ ସହ ୬୦,୮୨୬ ସ୍ତରରେ ବନ୍ଦ ହୋଇଥିଲା । ସେହିପରି ନିଫ୍ଟି ୮୫.୨୫ ଅଙ୍କ କମିବା ସହ ୧୮,୧୧୩ ସ୍ତରରେ ବନ୍ଦ ହୋଇଛି । ଏହି ହ୍ରାସ ଯୋଗୁଁ ସେୟାର ବଜାର ନିବେଶକଙ୍କୁ ଗୁରୁବାର ପ୍ରାୟ ୨.୪୭ ଲକ୍ଷ କୋଟ ଟଙ୍କା କ୍ଷତି ହୋଇଛି।

ଏହା ପୂର୍ବରୁ ସେନସେକ୍ସ ୪୦୦ ଅଙ୍କ ବୃଦ୍ଧି ସତ୍ତ୍ୱେ ବି ନିଜର ସର୍ବୋଚ୍ଚ ସ୍ତରରୁ ୮୩୦ ଅଙ୍କ ତଳକୁ ଖସିଥିଲା । ନିଫ୍ଟି ନିଜ ସର୍ବୋଚ୍ଚ ସ୍ତରରରୁ ୨୫୦ ଅଙ୍କ ତଳକୁ ଖସିଛି । ସେୟାର ବଜାରରେ ଆଜିର ହ୍ରାସ ମାଡଠୁ କୌଣସି ସେକ୍ଟର ବର୍ତ୍ତି ପାରି ନାହିଁ । ବ୍ୟାଙ୍କିଂ, ଆଇଟି, ଅଟୋ, ମେଟଲ୍ସ ପରି ସବୁ ସେକ୍ଟରର ସେୟାରରେ ବଡ଼ ଧରଣର ହ୍ରାସ ଘଟିଛି । ମିଡ୍ କ୍ୟାପ ଏବଂ ସ୍ମଲ୍ କ୍ୟାପ ସେୟର ଗୁଡିକ ମଧ୍ୟ ଏଥିରୁ ବର୍ତ୍ତିପାରି ନାହାନ୍ତି ।

ବଜାରରେ ହ୍ରାସ ସହ ବିଏସଇରେ ସୂଚୀବଦ୍ଧ ସବୁ କମ୍ପାନି ମୋଟ ବଜାର ପୁଞ୍ଜି ଆଜି ୨୮୦.୪୮ ଲକ୍ଷ କୋଟିକୁ ଖସି ଆସିଛି । ଏହାର ଗୋଟିଏ ଦିନ ପୂର୍ବେ ଗୁଧବାର ବଜାର ବନ୍ଦ ହେବା ସମୟରେ ଏହା ୨୮୨.୯୫ ଲକ୍ଷ କୋଟି ଥିଲା । ଗତ ତିନି ଦିନରେ ସେନସେକ୍ସ ପ୍ରାୟ ୧୦୨୨ ଅଙ୍କ ତଳକୁ ଖସି ସାରିଛି । ସୋମବାର ଡିସେମ୍ୱର ୧9ରେ ସେନସେକ୍ସ ୬୧,୮୩୫ ଅଙ୍କରେ ବନ୍ଦ ହୋଇଥିଲା, ଆଜି ଏହା ୬୦,8୨୬ ଅଙ୍କକୁ ଖସି ଆସିଛି । ବିଏସଇରେ ସୂଚୀବଦ୍ଧ କମ୍ପାନି ଗୁଡିକର ମୋଟ ବଜାର ପୁଞ୍ଜିରେ ପ୍ରାୟ ୭.୪୨ ଲକ୍ଷ କୋଟି ଟଙ୍କା କମିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.