ସେୟାର ବଜାରରେ ବଡ଼ ହ୍ରାସ, ନିବେଶକଙ୍କ କ୍ଷତି ୬.୨୪ ଲକ୍ଷ କୋଟି ଟଙ୍କା

Published By : Prameya-News7 Bureau | February 28, 2024 IST

ନୂଆଦିଲ୍ଲୀ: ବିକ୍ରିର ଚାପରେ ସେୟାର ବଜାର ଆଜି ଫେବ୍ରୁଆରୀ ୨୮ରେ ବଡ଼ ହ୍ରାସ ସହ ବନ୍ଦ ହୋଇଛି । ସେନସେକ୍ସ ୭୯୦ ଅଙ୍କ ତଳକୁ ଖସି ଥିବା ବେଳେ ନିଫ୍ଟି ୨୨,୦୦୦ ତଳେ ବନ୍ଦ ହୋଇଛି । ଏହି କାରଣରୁ ଆଜି ନିବେଶକଙ୍କୁ ପ୍ରାୟ ୬.୨୪ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ବିଏସଇର ସମସ୍ତ ସେକ୍ଟୋରାଲ ସୂଚକାଙ୍କ ଲାଲ ସଂକେତରେ ବନ୍ଦ ହୋଇଛି । ସବୁଠୁ ଅଧିକ ହ୍ରାସ ତୈଳ ଏବଂ ଗ୍ୟାସ୍, ପାୱର, ରିୟଲ୍ଟି, ୟୁଟିଲିଟି, ଅଟୋ ଏବଂ ଟେଲିକମ୍ୟୁନିକେସନ ସେୟାରରେ ଦେଖିବାକୁ ମିଳିଛି ।

କାରବାର ଶେଷରେ ବିଏସଇ ସେନସେକ୍ସ ୭୯୦.୩୪ ଅଙ୍କ ବା ୧.୦୮ ପ୍ରତିଶତ କମି ୭୨,୩୦୪.୮୮ ଅଙ୍କରେ ବନ୍ଦ ହୋଇଛି । ଅନ୍ୟପଟେ ଏନଏସଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୨୪୭.୨୦ ଅଙ୍କ ବା ୧.୧୧ ପ୍ରତିଶତ କମି ୨୧,୯୫୧.୧୫ ସ୍ତରରେ ବନ୍ଦ ହୋଇଛି ।

ପଢନ୍ତୁ: ଘରୋଇ ଖର୍ଚ୍ଚକୁ ନେଇ ଆଉ ଏକ ସର୍ଭେ କରିପାରନ୍ତି କେନ୍ଦ୍ର ସରକାର, ବଦଳିବ ଖୁଚୁରା ମୁଦ୍ରାସ୍ଫୀତି ମାପିବା ଶୈଳୀ

ବ୍ରଡର ମାର୍କେଟରେ ମଧ୍ୟ ବଡ଼ ହ୍ରାସ ଦେଖିବାକୁ ମିଳିଛି । ବିଏସଇର ମିଡକ୍ୟାପ୍ ସୂଚକାଙ୍କ ଏବଂ ବିଏସଇର ସ୍ମଲକ୍ୟାପ୍ ସୂଚକାଙ୍କ ୨ ପ୍ରତିଶତକୁ ଅଧିକ ହ୍ରାସ ସହ ବନ୍ଦ ହୋଇଛି । ଗତ କିଛି ମାସ ଧରି ବ୍ରଡର ମାର୍କେଟରେ ଉଚ୍ଚ ଭେଲ୍ୟୁଏସନକୁ ନେଇ ଚିନ୍ତା ପ୍ରକାଶ କରାଯାଉଥିଲା, ଯେଉଁଥି ପାଇଁ ନିବେଶକ ଆଶିଂକ ଲାଭ ପାଇଁ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି ।

ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡିକର ମୋଟ ବଜାର ମୂଲ୍ୟ ଆଜି ଫେବ୍ରୁଆରୀ ୨୮ରେ କମି ୩୮୫.୭୫ ଲକ୍ଷ କୋଟି ଟଙ୍କା ହୋଇଛି । ଯାହା ପୂର୍ବ କରାବର ଦିନ ଅର୍ଥାତ ମଙ୍ଗଳବାର ଫେବ୍ରୁଆରୀ ୨୭ରେ ଏହା ୩୯୧.୯୯ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ୬.୨୪ ଲକ୍ଷ କୋଟି ଟଙ୍କା କମିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.