ଲଗାତାର ଦ୍ୱିତୀୟ ଦିନରେ ହ୍ରାସ ସହ ବନ୍ଦ ହେଲା ସେୟାର ବଜାର, ନିବେଶକଙ୍କ ବୁଡ଼ିଲା ୨.୬୮ ଲକ୍ଷ କୋଟି ଟଙ୍କା
24/03/2023 at 6:46 PM

ନୂଆଦିଲ୍ଲୀ: ବିଶ୍ୱରେ ନକାରାତ୍ମକ ସଂକେତ ମଧ୍ୟରେ ଭାରତୀୟ ସେୟାର ବଜାର ଶୁକ୍ରବାର ମାର୍ଚ୍ଚ ୨୪ରେ ଲଗାତାର ଦ୍ୱିତୀୟ ଦିନରେ ହ୍ରାସ ସହ ବନ୍ଦ ହୋଇଛି । ସେନସେକ୍ସ ପ୍ରାୟ ୪୦୦ ଅଙ୍କ ତଳକୁ ଖସିଛି । ସେହିପରି ନିଫ୍ଟି ପୁଣି ଥରେ ୧୭୦୦୦ ତଳକୁ ଖସି ବନ୍ଦ ହୋଇଛି । ବୃହତ ବଜାରରେ ମଧ୍ୟ ବଡ଼ ହ୍ରାସ ଦେଖିବାକୁ ମିଳିଛି । ବିଏସଇର ମିଡକ୍ୟାପ୍ ଏବଂ ସ୍ମଲକ୍ୟାପ୍ ଉଭୟ ସୂଚକାଙ୍କ ପ୍ରାୟ ୧.୩୦ ପ୍ରତିଶତ କମି ବନ୍ଦ ହୋଇଛି ।
କାରବାର ଶେଷରେ ବିଏସଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ୩୯୮.୧୮ ଅଙ୍କ ବା ୦.୬୯ ପ୍ରତିଶତ କମ ହୋଇ ୫୭,୫୨୭.୧୦ ଅଙ୍କରେ ବନ୍ଦ ହୋଇଛି । ସେହିପରି ଏନଏସଇର ନିଫ୍ଟି ୧୩୧.୮୫ ଅଙ୍କ ଅର୍ଥାତ୍ ୦.୭୭ ପ୍ରତିଶତ କମି ୧୬,୯୪୫.୦୫ ସ୍ତରରେ ବନ୍ଦ ହୋଇଛି ।
ବିଏସଇର ସୂଚୀବଦ୍ଧ କମ୍ପାନିଗୁଡିକର ମୋଟ ବଜାର ପୁଞ୍ଜି ଆଜି ହ୍ରାସ ହୋଇ ୨୫୪.୪୪ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି । ଗୁରୁବାର ଏହା ୨୫୭.୧୨ ଲକ୍ଷ କୋଟି ଟଙ୍କା ରହିଥିଲା । ଏହିପରି ବିଏସଇରେ ଲିଷ୍ଟେଡ୍ କମ୍ପାନିଗୁଡିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୨.୬୮ ଲକ୍ଷ କୋଟି ଟଙ୍କା କମିଛି । ସରଳ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କ ସମ୍ପତ୍ତିରେ ଆଜି ପ୍ରାୟ ୨.୬୮ ଲକ୍ଷ କୋଟି ଟଙ୍କା ହ୍ରାସ ଘଟିଛି ।