ଲଗାତାର ୪ ଦିନର ହ୍ରାସରେ ଲାଗିଲା ବ୍ରେକ୍, ବୈଶ୍ୱିକ ଦୁର୍ବଳ ସଂକେତ ସତ୍ତ୍ୱେ ସବୁଜ ସଂକେତରେ ସେନସେକ୍ସ-ନିଫ୍ଟି

Published By : Prameya-News7 Bureau | April 19, 2024 IST

ନୂଆଦିଲ୍ଲୀ: ସେୟାର ବଜାରରେ ଲଗାଚାର ଚାରି ଦିନ ଧରି ଚାଲିଥିବା ହ୍ରାସରେ ଶୁକ୍ରବାର ବ୍ରେକ୍ ଲାଗିଛି । ଗ୍ଲୋବାଲ ମାର୍କେଟରୁ ମିଳୁଥିବା ଦୁର୍ବଳ ସଂକେତ ସତ୍ତ୍ୱେ ଆଜି ସେନସେକ୍ସ ପ୍ରାୟ ୬୦୦ ଅଙ୍କର ବୃଦ୍ଧି ସହ ସବୁଜ ସଂକେତରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ମଧ୍ୟ ୧୫୧ ଅଙ୍କ ଉପରକୁ ଉଠିଛି । ବିଦେଶୀ ନିବେଶକଙ୍କ ସର୍ଟ-କଭରିଂରୁ ବେଞ୍ଚମାର୍କ ସୂଚକାଙ୍କ ଶୁକ୍ରବାର ବୃଦ୍ଧି ହାସଲ କରିବାରେ ସଫଳ ହୋଇଛି ।

ପଢନ୍ତୁ: ଭାରତକୁ ପୁଣି ପ୍ରଶଂସା କଲା IMF, କହିଲା-ନିର୍ବାଚନୀ ବର୍ଷରେ ବି ଦେଶ...

ବିଏସଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ୫୯୯.୩୪ ଅଙ୍କ ବା ୦.୮୩ ପ୍ରତିଶତ ଉପରକୁ ଉଠି ୭୩,୦୮୮.୩୩ ଅଙ୍କରେ ବନ୍ଦ ହୋଇଛି । ଇସ୍ରାଏଲ ଦ୍ୱାରା ଇରାନ ଉପରେ ସମ୍ଭାବିତ ଆକ୍ରମଣ ଖବର ଯୋଗୁଁ କାରବାର ବେଳେ ସେନସେକ୍ସ ଏକଦା ୬୭୨ ଅଙ୍କ ତଳକୁ ଖସିଥିଲା । ତେବେ କାରବାରର ଦ୍ୱିତୀୟ ସେସନରେ ବେଞ୍ଚମାର୍କ ଇଣ୍ଡେକ୍ସ ସବୁଜ ସଂକେତକୁ ଆସିଥିଲା । 

ଅନ୍ୟପଟେ ଏନଏସଇର ୫୦ ସେୟାର ବିଶିଷ୍ଟ ପ୍ରମୁଖ ସୂଚକାଙ୍କ ନିଫ୍ଟିରେ ମଧ୍ୟ ୧୫୧.୧୫ ଅଙ୍କ ବା ୦.୬୯ ପ୍ରତିଶତର ବୃଦ୍ଧି ରେକର୍ଡ ହୋଇଛି । ନିଫ୍ଟି କାରବାରର ଶେଷରେ ୨୨,୧୪୭.୦୦ ଅଙ୍କରେ ବନ୍ଦ ହୋଇଛି । ନିଫ୍ଟିରେ ଆଜି ୨୧,୭୭୭.୬୪ ଏବଂ ୨୨,୧୭୯.୫୫ ମଧ୍ୟରେ କାରବାର ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.