ନୂଆଦିଲ୍ଲୀ: ପ୍ରଚଣ୍ଡ ହିଟ୍ ଓ୍ୱେଭ୍ରେ ଜଳୁଛି ଭାରତ। ଅସହ୍ୟ ଗରମରେ ଲକ୍ଷ ଲକ୍ଷ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ। ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନକୁ କେବଳ ଭାରତ ନୁହେଁ, ବରଂ ଚିନ୍ତାରେ ସାରା ବିଶ୍ୱ। ସେପଟେ ଜଳବାୟୁର ପରିବର୍ତ୍ତିନ ଅର୍ଥନୀତି କ୍ଷେତ୍ରରେ କେତେ ପ୍ରଭାବ ପକାଇପାରେ ଏହାର ଏକ ନୂଆ ରିପୋର୍ଟ ସାମ୍ନାକୁ ଆସିଛି। ୬ ମାସରେ କ୍ଷତି ହୋଇଛି ୪୧ ବିଲିୟନ ଡଲାର। ଗତ ବର୍ଷ ଡିସେମ୍ବର ଦୁବାଇରେ ଅନୁଷ୍ଠିତ COP28 ପରଠାରୁ ପ୍ରତିକୂଳ ଜଳବାୟୁ ଯୋଗୁଁ ଘଟିଥିବା ଘଟଣାରେ ସାରା ବିଶ୍ୱରେ ୪୧ ବିଲିୟନ ଡଲାରରୁ ଅଧିକ କ୍ଷତି ଘଟିଛି।
ବ୍ରିଟେନ ସଂସ୍ଥା ଖ୍ରୀଷ୍ଟିଆନ ଏଡ୍ ରିପୋର୍ଟ ଅନୁଯାୟୀ, ଗତ ୬ ମାସ ମଧ୍ୟରେ ପ୍ରତିକୂଳ ଜଳବାୟୁ ସହ ଜଡିତ ଚାରିଟି ଘଟଣାରେ ୨୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ଚାରୋଟି ଘଟଣା ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ହେତୁ ଘଟିଛି। ଏଥିପାଇଁ ବିପଦ ଆହୁରି ବଢ଼ିଯାଇଛି। ୟୁଏଇରେ COP-28 ପରଠାରୁ ଜୀବାଶ୍ମ ଇନ୍ଧନ ବ୍ୟବହାର ଓ ଜଳବାୟୁ ବିପର୍ଯ୍ୟୟର ମୁକାବିଲା ପାଇଁ ସ୍ୱଳ୍ପ ଆୟକାରୀ ଦେଶଗୁଡିକୁ ସହାୟତା କରିବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଇପାରିନାହିଁ ବୋଲି ସଂଗଠନ କହିଛି।
ଖ୍ରୀଷ୍ଟିଆନ ଏଡ୍ କହିଛି, ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନରେ ଧନୀ ଦେଶମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ଏହି ଗ୍ୟାସଗୁଡ଼ିକ ବାୟୁମଣ୍ଡଳକୁ ଉତ୍ତାପ କରୁଛି ଏବଂ ପାଣିପାଗ ସହ ଜଟିଳତାକୁ ବଢାଉଛି। ତେଣୁ ଏହି ଦେଶଗୁଡିକ ସେମାନଙ୍କର ଦାୟିତ୍ୱକୁ ବୁଝିବା ଉଚିତ୍। ପ୍ରତିକୂଳ ପାଣିପାଗ ଯୋଗୁଁ କ୍ଷତି ସହୁଥିବା ଦେଶକୁ ସାହାଯ୍ୟ କରିବା ଉଚିତ୍।
ଗତ ଡିସେମ୍ବରରେ ଦୁବାଇରେ ମିଳିତ ଜାତିସଂଘର ଜଳବାୟୁ ସମ୍ମିଳନୀରେ ପ୍ରତିନିଧୀମାନେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଦୂର କରିବା ପାଇଁ ସହମତି ପ୍ରକାଶ ପାଇଥିଲା। ଏପରିକି କ୍ଷତି ସହୁଥିବା ରାଷ୍ଟ୍ରକୁ ସହାୟତାର ହାତ ବଢାଇବାକୁ କୁହାଯାଇଥିଲା।
ଖ୍ରୀଷ୍ଟିଆନ ଏଡ୍ ଅନୁଯାୟୀ, ୪୧ ବିଲିୟନ ଆମେରିକୀୟ ଡଲାରର କ୍ଷୟକ୍ଷତିର ଆକଳନ କରାଯାଇଛି। ରିପୋର୍ଟ ଅନୁଯାୟୀ, ସାଧାରଣତଃ କେବଳ ବୀମାଭୁକ୍ତ କ୍ଷତିକୁ ରେକର୍ଡ କରାଯାଇଥାଏ ଏବଂ ପାଣିପାଗ ସମ୍ବନ୍ଧୀୟ ବିପର୍ଯ୍ୟୟ ସେହି ଦେଶରେ ଘଟିଥିଲା ଯେଉଁଠାରେ ବହୁତ କମ୍ ଲୋକ କିମ୍ବା ବ୍ୟବସାୟରେ ବୀମା ରହିଥିଲା। ରିପୋର୍ଟରେ କୁହାଯାଇଛି ଯେ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ସଠିକ୍ ନୁହେଁ।
ଖବର ଅନୁଯାୟୀ, ବ୍ରାଜିଲରେ ବନ୍ୟା ଯୋଗୁଁ ଅତି କମରେ ୧୬୯ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଅତିକମରେ ସାତ ବିଲିୟନ ଆମେରିକୀୟ ଡଲାରର ଆର୍ଥିକ କ୍ଷତି ଘଟିଥିଲା। ଏହି ରିପୋର୍ଟରେ କୁହାଯାଇଛି ଯେ ଦକ୍ଷିଣ ଏବଂ ଦକ୍ଷିଣ-ପଶ୍ଚିମ ଏସିଆରେ ବନ୍ୟା ଯୋଗୁଁ ଅତି କମରେ 214 ଜଣଙ୍କର ମୃତ୍ୟୁ ଘଟିଛି ଏବଂ କେବଳ ୟୁଏଇରେ 850 ମିଲିୟନ ଆମେରିକୀୟ ଡଲାରର ବୀମା କ୍ଷତି ହୋଇଛି। ହିଟ୍ ଓ୍ୱେଭ୍ ଯୋଗୁଁ କେବଳ ମିଆଁମାରରେ ଯୋଗୁଁ ୧୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।