ମହଙ୍ଗା ପଡ଼ିଲା ଲାଞ୍ଚ ନେବା: ଉଦ୍ୟାନ ବିଭାଗ କିରାଣୀଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ ସହ ଜୋରିମାନା
28/03/2023 at 8:54 PM

ଫୁଲବାଣୀ ୨୮/୦୩: ଲାଞ୍ଚନେବା ଅଭିଯୋଗରେ କନିଷ୍ଠ କିରାଣୀଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା। ଜୋରିମାନା ନଦେଲେ ଅଧିକ ୬ ମାସ ଜେଲ୍ ଦଣ୍ଡ ବଢ଼ିବ ବୋଲି ଅଦାଲତ ଆଦେଶ ଦେଇଛନ୍ତି। ଫୁଲବାଣୀ ଭିଜିଲାନ୍ସ ଅଦାଲତର ବିଚାରପତି ଏପରି ଦଣ୍ଡାଦେଶ ଦେଇଛନ୍ତି। ଏପରି ଦଣ୍ଡ ପାଇଥିବା କନିଷ୍ଠ କିରାଣୀଙ୍କ ପରିଚୟ ପ୍ରଦୀପ କୁମାର ଚୌଧୁରୀ। ସେ ଫୁଲବାଣୀ ଉଦ୍ୟାନ ବିଭାଗରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଥିଲେ।

ଖବର ଅନୁସାରେ, ଅଭିଯୁକ୍ତ ପ୍ରଦୀପ ତାଙ୍କ ବିଭାଗର ଫିଲଡ କର୍ମଚାରୀ ସୁନୀଲ ବେହେରାଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ବ୍ରହ୍ମପୁର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ଭିଜିଲାନ୍ସ ପକ୍ଷରୁ ୪୪/୧୮ରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ତଦନ୍ତଭାର ଫୁଲବାଣୀ ଭିଜିଲାନ୍ସ ଡିଏସପି ଆର.କେ ସୁନା ତୁଲାଇଥିଲେ। ବରିଷ୍ଠ ଆଇନଜୀବୀ ତଥା ଭିଜିଲାନ୍ସ ସ୍ୱତନ୍ତ୍ର ପିପି ଭି.ଭି ରାମ ଦାଶ ଏହି ମକକଦ୍ଦମାକୁ ଲଢୁଥିଲେl ସୂଚନାଥାଉକି ସୁନିଲଙ୍କ ସାଲାରି ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ୍ ବାଲିଗୁଡ଼ା ଶାଖାରୁ ଆନ୍ଧ୍ର ବ୍ୟାଙ୍କ୍ ଫୁଲବାଣୀ ଶାଖାକୁ ସ୍ଥାନାନ୍ତରିତ କରିବା ପାଇଁ ପ୍ରଦୀପ ଟଙ୍କା ନେଉଥିବା ଅଭିଯୋଗ ହେଉଥିଲା।