ରାଜସ୍ଥାନ ସଙ୍କଟରେ ଅଶୋକ ଗେହଲଟ୍‌ଙ୍କ କୌଣସି ଭୂମିକା ନାହିଁ, ମିଳିଲା କ୍ଲିନ ଚିଟ୍, ସୋନିଆଙ୍କୁ ରିପୋର୍ଟ ଦେଲେ ପର୍ଯ୍ୟବେକ୍ଷକ

Published By : Prameya-News7 Bureau | September 27, 2022 IST

ନୂଆଦିଲ୍ଲୀ: ରାଜସ୍ଥାନର ରାଜନୈତିକ ସଙ୍କଟକୁ ନେଇ କଂଗ୍ରେସର ପର୍ଯ୍ୟବେକ୍ଷକ ନିଜର ରିପୋର୍ଟ ପାର୍ଟି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପଠାଇଛନ୍ତି। ରିପୋର୍ଟରେ ରାଜସ୍ଥାନର ରାଜନୈତିକ ସଙ୍କଟ ପାଇଁ ଅଶୋକ ଗେହଲଟ୍‌ଙ୍କୁ ଦାୟୀ କରାଯାଇ ନାହିଁ। ତାଙ୍କୁ କ୍ଲିନଚିଟ୍ ଦିଆଯାଇଥିବା ରିପୋର୍ଟରୁ ଜଣା ପଡିଛି। ଅନ୍ୟ ବୈଠକ ଡକାଇଥିବା ତିନି ପ୍ରମୁଖ ନେତାଙ୍କ ବିରୋଧରେ ଅନୁଶାସନହୀନତା କାର୍ଯ୍ୟାନୁଷ୍ଠାନ ନେବାକୁ ସୁପାରିଶ କରାଯାଇଛି। ଏହି ତିନି ଜଣ ହେଉଛନ୍ତି ମନ୍ତ୍ରୀ ଶାନ୍ତି ଧାରିଓ୍ବାଲ, ମନ୍ତ୍ରୀ ପ୍ରତାପ ସିଂହ ଖାଚରିୟାବାସ ଏବଂ କଂଗ୍ରେସ ନେତା ଧର୍ମେନ୍ଦ୍ର  ରାଠୋର।

ଦୁଇ ପର୍ଯ୍ୟବେକ୍ଷକ ଅଜୟ ମାକନ ଏବଂ ମଲ୍ଲିକାର୍ଜୁନ ଖଡଗେ ନିଜ ରିପୋର୍ଟରେ ପୂରା ଘଟଣାକ୍ରମ ପାଇଁ ଗେହଲଟଙ୍କୁ ଆଦୌ ଦାୟୀ କରି ନାହାନ୍ତି। ଅନ୍ୟ ବୈଠକ ଡକାଇଥିବା ଧାରିଓ୍ଵାଲ, ଖାଚରିୟାବାସ ଏବଂ ଧର୍ମେନ୍ଦ୍ର ରାଠୋରଙ୍କ ବ୍ୟତୀତ ଆଉ  କିଛି ନେତାଙ୍କ ନାମ ରିପୋର୍ଟରେ ଉଲ୍ଲେଖ ରହିଛି। ନଅ ପୃଷ୍ଠାର ରିପୋର୍ଟରେ ବିସ୍ତୃତ ଭାବେ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି ପ୍ରଭାରୀ ଏବଂ ପର୍ଯ୍ୟବେକ୍ଷକ।

ରାଜସ୍ଥାନରେ ସଚିନ ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ଜାରି ବିରୋଧର ସମାଧାନ ପାଇଁ ପାର୍ଟି ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଏବଂ ଅଜୟ ମାକନଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଥିଲେ। ମାତ୍ର ବିଧାୟକମାନେ ପର୍ଯ୍ୟବେକ୍ଷକଙ୍କ କଥାକୁ ଖାତିର କରିନଥିଲେ। ସଚିନଙ୍କ ପାଇଁ ଅଜୟ ମାକନ ଓକିଲାତି କରୁଥିବା ଗେହଲଟ୍‌ ସମର୍ଥିକ ବିଧାୟକ ଅଭିଯୋଗ କରିଥିଲେ। ସର୍ବଦଳୀୟ ବୈଠକରେ ଯୋଗ ନଦେଇ ମନ୍ତ୍ରୀ ଶାନ୍ତି ଧାରିଓ୍ଵାଲଙ୍କ ବାସଭବନରେ ଗେହଲଟ ସମର୍ଥକ ବିଧାୟକ ମେଳି କରିଥିଲେ। ଏହା ପରେ ୮୨ ବିଧାୟକ ଗେହଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ବିରୋଧରେ ସାମୂହିକ ଇସ୍ତଫା ଦେଇଥିଲେ।

ମାତ୍ର ବର୍ତ୍ତମାନ ରାଜସ୍ଥାନ ରାଜନୀତିର ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆସିଛି। ଅନେକ ବିଧାୟକ ଇସ୍ତଫା କଥାକୁ ଅସ୍ଵୀକାର କରିଛନ୍ତି। ସେମାନଙ୍କୁ ମିଛ କହି ମିଟିଂକୁ ଡକାଯାଇଥିବା ଚାଞ୍ଚଲ୍ୟକର ଅଭିଯୋଗ କରିଛନ୍ତି ଅନେକ ବିଧାୟକ। ବିଧାୟକଙ୍କ ବୈଠକକୁ ନେଇ ପର୍ଯ୍ୟବେକ୍ଷକ କଡା ଆପତ୍ତି ପ୍ରକାଶ କରିଥିଲେ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ରିପୋର୍ଟରେ ସୁପାରିଶ କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.