କେନ୍ଦୁଝର ସରକାରୀ ମେଡିକାଲ କଲେଜରେ ଚଳିତ ବର୍ଷ ଆରମ୍ଭ ହେବ ପାଠପଢା, ଜିଲ୍ଲା ଛାତ୍ରଛାତ୍ରୀଙ୍କ ପାଇଁ ସିଟ୍ ସଂରକ୍ଷଣ ଦାବି

Published By : Prameya-News7 Bureau | August 24, 2022 IST

କେନ୍ଦୁଝର ୨୪।୮: କେନ୍ଦୁଝର ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ବହୁ ଦିନ ଆପେକ୍ଷାର ଅନ୍ତ ଘଟିଛି । କେନ୍ଦୁଝରଠାରେ ନିର୍ମାଣଧୀନ ସରକାରୀ ମେଡିକାଲ କଲେଜରେ ଚଳିତ ୨୦୨୨-୨୦୨୩ ବର୍ଷରୁ ନାମଲେଖା ନିମନ୍ତେ ନ୍ୟାସନାଲ ମେଡିକାଲ କମିଶନର ମେଡିକାଲ ଆସେସମେଣ୍ଟ ଆଣ୍ଡ ରେଟିଙ୍ଗ ବୋର୍ଡ (ଏମଏଆରବି) ଅଣ୍ଡର ଗ୍ରାଜୁଏଟ ବିଭାଗରୁ ମଙ୍ଗଳବାର ଅନୁମତି ପତ୍ର ଦିଆଯାଇଛି । ଏହା ଜଣାପଡ଼ିବା ପରେ ମେଡ଼ିକାଲ କଲେଜ ସ୍ଥାପନ ପାଇଁ ଆଗରୁ ଆନ୍ଦୋଳନକୁ ଓହ୍ଲାଇଥିବା ଏକାଧିକ କମିଟି ଓ ସଂସ୍ଥା ଏହାକୁ ସ୍ଵାଗତ କରିଛନ୍ତି । ଏହାସହ ଏହି କଲେଜରେ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସିଟ୍ ସଂରକ୍ଷଣ ପାଇଁ ଦାବି କରିଛନ୍ତି ।

ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ମାସ ମାସ ଧରି ଆନ୍ଦୋଳନ, ଧର୍ମଘଟ, ଜିଲ୍ଲାବ୍ୟାପୀ ବନ୍ଦ ସହ ଆତ୍ମାହୁତି ଉଦ୍ୟମ ପର୍ଯ୍ୟନ୍ତ କଥା ଯାଇଥିଲା । ଯେଉଁଥି ପାଇଁ ଶେଷରେ ସରକାର ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ । ଏହି କଲେଜ ଜିଲ୍ଲାର ନିଜସ୍ୱ DMF ପାଣ୍ଠିରୁ ନିର୍ମାଣ ହେଲା । ଆଉ ଆଜି ଜିଲ୍ଲାବାସୀଙ୍କ ଏହି ସ୍ଵପ୍ନ ପୂରଣ ହେବାକୁ ଯାଉଛି । ଯାହାକୁ ଜିଲ୍ଲାବାସୀ ସ୍ଵାଗତ କରିଛନ୍ତି । ଯେହେତୁ ଏହା ଜିଲ୍ଲାର ନିଜସ୍ଵ DMF ପାଣ୍ଠିରୁ ହୋଇଛି ତେଣୁ  ଜିଲ୍ଲାର ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ କେନ୍ଦୁଝର ଜିଲ୍ଲା ପିଲାଙ୍କ ପାଇଁ ସିଟ୍ ସଂରକ୍ଷଣ ପାଇଁ ଦାବି କରିଛନ୍ତି ।

କେନ୍ଦୁଝର ଠାରେ ନିର୍ମାଣଧୀନ ସରକାରୀ ମେଡିକାଲ କଲେଜରେ ଚଳିତ ୨୦୨୨-୨୩ ବର୍ଷରୁ ନାମଲେଖା ନିମନ୍ତେ ନ୍ୟାସନାଲ ମେଡିକାଲ କମିଶନର ମେଡିକାଲ ଆସେସମେଣ୍ଟ ଆଣ୍ଡ ରେଟିଙ୍ଗ ବୋର୍ଡ(ଏମଏଆରବି) ଅଣ୍ଡର ଗ୍ରାଜୁଏଟ୍ ବିଭାଗରୁ ମଙ୍ଗଳବାର ଅନୁମତି ପତ୍ର ଦିଆଯାଇଛି । ନ୍ୟାସନାଲ ମେଡ଼ିକାଲ କମିଶନ ପତ୍ର ସଂଖ୍ୟା ଏନଏମସି/ୟୁଜି/୨୦୨୨/୦୦୦୧୩୭/୦୩୨୧୭ ତା-୨୩.୮.୨୦୨୨ରେ ଏହି ଅନୁମତି ପ୍ରଦାନ କରାଯାଇଛି । ଏହି ଅନୁମତି ଅନୁସାରେ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ବାରିପଦା ଅଧୀନରେ ରହିବ ବୋଲି ଜଣାପଡିଛି । ଏ ନେଇ ମେଡିକାଲ କଲେଜ ପାଇଁ ଡିନ ଓ ସୁପରିଟେଣ୍ଟଣ୍ଡଙ୍କୁ ମିଶାଇ ୭୫ ଜଣ ଅଧ୍ୟାପକ ନିଯୁକ୍ତି ହୋଇଥିବା ବେଳେ ୫ଟି ବିଷୟରେ ପାଠପଢା ଆରମ୍ଭ ହେବା ସହ ପରବର୍ତ୍ତି ସମୟରେ ଏହା ବଢିବାର ଯୋଜନା ରହିଛି ବୋଲି ଡିନ୍ କହିଛନ୍ତି । ସେପଟେ ଜିଲ୍ଲାପାଳଙ୍କ କହିବା କଥା ଏଥିରେ ପିଲା ପଢିବା ସହ ୫୦୦ ଶଯ୍ୟା ବିଶିଷ୍ଠ ଚିକିତ୍ସା ସୁବିଧା ମିଳିବ । ଏହାସହ ଆଗାମୀ ଦିନରେ କେନ୍ଦୁଝରରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.