ଚୋରି ସନ୍ଦେହରେ ନାବାଳିକା ବେକରେ ଚପଲମାଳ ପକାଇଲେ, ହଷ୍ଟେଲ ପରିସରରେ ବୁଲାଇଲେ ସୁପରିଟେଣ୍ଡେଣ୍ଟ

Published By : Prameya-News7 Bureau | December 07, 2022 IST

ନୂଆଦିଲ୍ଲୀ, ୭/୧୨: ୫ମ ଶ୍ରେଣୀ ନାବାଳିକା ଉପରେ ଅତ୍ୟାଚାର। ଟଙ୍କା ଚୋରି ସନ୍ଦେହରେ ନାବାଳିକାଙ୍କ ବେକରେ ଚପଲ ମାଳ ପକାଇ ବୁଲାଇଲେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ବେଟୁଲ ଜିଲ୍ଲାରେ। ଜିଲ୍ଳା ପ୍ରଶାସନ ଏହି ଘଟଣାରେ ତଦନ୍ତ ନିର୍ଦେ୍ଦଶ ଦେବା ସହ କାର୍ଯ୍ୟାନୁଷ୍ଠାନ ନେଇଛି।

ଘଟଣା ଗତ ସପ୍ତାହରେ ଦମଜୀପୂରା ଗାଁର ଆଦିବାସୀ ବାଳିକା ହଷ୍ଟେଲରେ ଦେଖିବାକୁ ମିଳିଥିଲା। ଯୁବତୀଙ୍କ ପରିବାର ଜିଲ୍ଲାପାଳ ଅମନବୀର ସିଂହ ବେନ୍ସଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଜିଲ୍ଲାପାଳ ଏନେଇ ଏକ ତଦନ୍ତ ନିର୍ଦେ୍ଦଶ ଦେଇଥିଲେ। ଯାହାପରେ ମହିଳା ସୁପରିଟେଣ୍ଡେଣ୍ଟଙ୍କୁ ବହିଷ୍କାର କରାଯାଇଛି।

ନାବାଳିକାଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ସୁପରିଟେଣ୍ଡେଣ୍ଟ ନାବାଳିକାଙ୍କ ଉପରେ ଅନ୍ୟ ଛାତ୍ରୀଙ୍କର ୪୦୦ ଟଙ୍କା ଚୋରି କରିଥିବା ଅଭିଯୋଗ ଆଣିଥିଲେ। ଆଉ ଏହି ଅଭିଯୋଗରେ ସୁପରିଟେଣ୍ଡେଣ୍ଟ ତାଙ୍କ ଝିଅ ମୁହଁରେ ମେକ୍ ଅପ୍ ଲଗାଇ ଭୂତ ବେଶ କରାଇ ଏବଂ ଚପଲ ମାଳ ପକାଇ ହଷ୍ଟେଲ କ୍ୟାମ୍ପସରେ ବୁଲାଇଥିଲେ। ଘଟଣା ପରେ ହଷ୍ଟେଲ ଫେରିବାକୁ ଚାହୁନଥିବା କହିଛନ୍ତି ଝିଅର ବାପା।

ସେପଟେ ଅଭିଯୋଗ ଆଧାରରେ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ପଦରୁ ହଟାଯାଇଛି ଏବଂ ତଦନ୍ତ ଆଧାରରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆଦିବାସୀ ବ୍ୟପାର ବିଭାଗର ଆସିଷ୍ଟାଣ୍ଟ କମିଶନର ଶିଳ୍ପା ଜୈନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.