ପାଣି ପାଇଁ ଦୁଇ ଗାଁ ମଧ୍ୟରେ ସଂଘର୍ଷ, ୬ ଜଣ ମେଡିକାଲରେ ଭର୍ତ୍ତି, ଥାନାରେ ମାମଲା
11/03/2023 at 6:59 PM

ଉମରକୋଟ: ପ୍ରଥମେ ଗ୍ରାମ୍ୟ ଜଙ୍ଗଲ ଏବେ ପାଣି ପାଇଁ ଦୁଇ ଗାଁ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି । ସଂଘର୍ଷ ଏପରି ହୋଇଛି ଯେ ଦୁଇ ଗାଁର ୩୦ ଜଣ ଆହତ ହୋଇଥିବା ବେଳେ ୬ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାଟଭରାଣ୍ଡି ପଞ୍ଚାୟତର ମାରିଗାଁ ଓ ଟିକିରାପାରା ମଧ୍ୟରେ ଘଟିଛି ସଂଘର୍ଷ ।
ଗ୍ରାମ ଜଂଗଲକୁ ନେଇ କିଛି ବର୍ଷ ଧରି ଦୁଇ ଗାଁ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଗତ ୪ ତାରିଖରେ ଦୁଇ ଗାଁର ଲୋକେ ମୁହାଁମୁହିଁ ହୋଇଥିଲେ । ସେଇ ସମୟରେ ବନ ବିଭାଗ ପକ୍ଷରୁ ଉଭୟ ଗ୍ରାମବାସୀଙ୍କୁ ବୁଝାସୁଝା କରି ଫେରି ଆସିଥିଲେ ମଧ୍ୟ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ସ୍ଥାୟୀ ସମାଧାନ ହୋଇ ପାରି ନଥିଲା । ଏହାପରେ ଏବେ ପିଇବା ପାଣିକୁ ନେଇ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଦେଖିବାକୁ ମିଳିଛି l ଉଭୟ ଗ୍ରାମରୁ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୬ ଜଣ ହାଟଭରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି l ଅପରପକ୍ଷରେ ଉଭୟ ଗ୍ରାମବାସୀଙ୍କ ଅଭିଯୋଗରେ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି କୁନ୍ଦେଇ ପୋଲିସ l