ରବିଶଙ୍କର ପ୍ରସାଦଙ୍କ ବିରୋଧରେ ମାମଲା ରୁଜୁ, ଶଶି ଥରୁରଙ୍କ ବିରୋଧରେ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ

Published By : Prameya-News7 Bureau | February 15, 2020 IST

ତିରୁଅନନ୍ତପୁମ ୧୫।୨: କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ବିରୋଧରେ ତିରୁଅନନ୍ତପୁରମ ସିଜେଏମଙ୍କ କୋର୍ଟରେ ଶନିବାର ମୋକଦ୍ଦମା ରୁଜୁ ହୋଇଛି। ବରିଷ୍ଠ କଂଗ୍ରେସ ନେତା ତଥା ତିରୁଅନନ୍ତପୁରମ ସାଂସଦ ଶଶି ଥରୁରଙ୍କ ନିବେଦନ ଅନୁସାରେ କୋର୍ଟ ଏହି ମୋକଦ୍ଦମା ରୁଜୁ କରିଛନ୍ତି। ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ପ୍ରସଙ୍ଗରେ ରବିଶଙ୍କର ପ୍ରସାଦ ଥରୁରଙ୍କୁ  ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାର ସେ ଅଭିଯୋଗ କରିଛନ୍ତି।

ମନ୍ତବ୍ୟ ଲାଗି ଥରୁର ନୋଟିସ ଜାରି କରି ପ୍ରସାଦଙ୍କୁ ନିସର୍ତ୍ତ କ୍ଷମା ନିବେଦନ କରିବାକୁ କହିଥିଲେ। ହେଲେ ପ୍ରସାଦ ପ୍ରଥମେ ଥରୁର ପ୍ରଧାମନ୍ତ୍ରୀଙ୍କ ବିରୋଧରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ଲାଗି କ୍ଷମାଯାଚନା କରନ୍ତୁ ବୋଲି କହିଥିଲେ। ଥରୁର ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଏପରି ଅବସ୍ଥାରେ ଅଛନ୍ତି ଯେପରି ଶିବ ଲିଙ୍ଗ ଉପରେ କଙ୍କଡା ବିଛା ବୋଲି କହିଥିଲେ। ଥରୁରଙ୍କ ମନ୍ତବ୍ୟକୁ ବିରୋଧ କରିବା ଲାଗି ରବି ଶଙ୍କର ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ସୁନନ୍ଦା ପୁଷ୍କର ହତ୍ୟାକାଣ୍ଡର ଅଭିଯୁକ୍ତ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏପରି ମନ୍ତବ୍ୟ ଦେବାର ଅଧିକାର ନାହିଁ ବୋଲି କହିଥିଲେ।

ତେବେ ସୁନନ୍ଦାଙ୍କ ମୃତ୍ୟୁ ମାମଲାରେ ପୋଲିସ ଚାର୍ଜସିଟ୍ ଦାଖଲ କରିଥିବା ବେଳେ ଏଥିରେ କୌଣସି ସ୍ଥାନରେ ଥରୁରଙ୍କୁ ହତ୍ୟାକାରୀ ବୋଲି ଉପସ୍ଥାପିତ କରିନଥିବା ଥରୁର ଅଭିଯୋଗ କରିଛନ୍ତି। ମାମଲାରେ କୋର୍ଟ ତାଙ୍କୁ ଜାମିନ ମଞ୍ଜୁର ମଧ୍ୟ କରିଛନ୍ତି। ଏଣୁ ଆପତ୍ତିଜନକ ମନ୍ତବ୍ୟ ଲାଗି ରବିଶଙ୍କର ପ୍ରସାଦ କ୍ଷମା ଯାଚନା କରନ୍ତୁ ବୋଲି କୋର୍ଟଙ୍କୁ ଥରୁର ନିବେଦନ କରିଛନ୍ତି।

ସେପଟେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଲାଗି ଦିଲ୍ଲୀର ଏକ କୋର୍ଟରେ ଶଶି ଥରୁରଙ୍କ ବିରୋଧରେ ରୁଜୁ ମାନହାନୀ ମାମଲାରେ କୋର୍ଟ ତାଙ୍କୁ ୫ ହଜାର ଟଙ୍କା ଜରିମାନା କରିଥିବା ଶନିବାର ଜଣାପଡିଛି। ବିଜେପି ନେତା ରାଜୀବ ବାବର କରିଥିବା ଏହି ମାମଲାରେ ଥରୁର କୋର୍ଟକୁ ନ ଆସିବାରୁ ଏହି ଜରିମାନା ହୋଇଥିବା କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.