କଙ୍ଗାରୁ  କୋର୍ଟ ଚଲାଇଛି ଇଲେକ୍ଟ୍ରୋନିକ ମିଡିଆ, ଦେଶ ପାଇଁ ବହୁତ କ୍ଷତିକାରକ: ସିଜେଆଇ

Published By : Prameya-News7 Bureau | July 23, 2022 IST

ନୂଆଦିଲ୍ଲୀ: ନ୍ୟାୟପାଳିକାର ଭବିଷ୍ୟତକୁ ନେଇ ଚିନ୍ତିତ ଦେଶର ପ୍ରଧାନ ବିଚାରପତି ଏନଭି ରମଣା। ଗଣମାଧ୍ୟମର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଘଟଣାର ସତ୍ୟତାକୁ ନପରଖି ଖବର ପ୍ରକାଶ କରାଯାଉଛି। ଜଜଙ୍କ ବିରୋଧରେ ସାମାଜିକ ଗଣମାଧ୍ୟରେ ଅଭିଯାନ ଚଲାଯାଉଛି। ପୁଙ୍ଖାନୁପୁଙ୍ଖନ ଯାଞ୍ଚ ନକରି ମିଡିଆ କଙ୍ଗାରୁ କୋର୍ଟ ଚଲାଉଥିବା କହିଛନ୍ତି ପ୍ରଧାନ ବିଚାରପତି। ଏଥିସହ ବିଚାରପତିଙ୍କ ବିରୋଧରେ ଗଣମାଧ୍ୟମର ଆଭିମୁଖ୍ୟକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି।

ଶନିବାର ରାଞ୍ଚିର ନ୍ୟାସନାଲ ୟୁନିଭର୍ସିଟି ଅଫ ଷ୍ଟଡି ଆଣ୍ଡ ରିସର୍ଚ୍ଚ ଇନ ଲ କଲେଜ୍‌ରେ ‘ଜଷ୍ଟିସ୍ ଅଫ ଏ ଜଜ୍’ ରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଉପରୋକ୍ତ ଟିପ୍ପଣୀ କରିଛନ୍ତି ସିଜେଆଇ ରମଣା । ସେ କହିଛନ୍ତି, ଆଜି ବୈଦ୍ୟୁତିକ ଏବଂ ସାମାଜିକ ଗଣମାଧ୍ୟମ ଗଣତନ୍ତ୍ରର କ୍ଷତି ଘଟାଉଛନ୍ତି। ମିଡିଆ ବିନା ଯାଞ୍ଚ ଖୋଳତାଡରେ କଙ୍ଗାରୁ କୋର୍ଟ ଚଲାଉଛନ୍ତି।

ନୂପୁର ଶର୍ମାଙ୍କ ପ୍ରଫେଟ୍ ମହମ୍ମଦଙ୍କ ଉପରେ କରାଯାଇଥିବା ଟିପ୍ପଣୀର ସୁପ୍ରିମକୋର୍ଟର ନିଷ୍ପତ୍ତି ଉପରେ ସିଜେଆଇ କହିଛନ୍ତି, ସଂପ୍ରତି ଜଜଙ୍କ ବିରୋଧରେ ସୋସିଆଲ ମିଡିଆ କ୍ୟାମ୍ପେନ ଚାଲିଛି। ଜଜ ତୁରନ୍ତ କୌଣସି ମାମଲା ଉପରେ ଶୁଣାଣି କରି ପାରିବେ , ଏହାକୁ ନ୍ୟାୟପାଳିକାର ଦୁର୍ବଳତା ଏବଂ ଅପାରଗତା ବୁଝିବା ଉଚିତ୍ ନୁହେଁ।

ପ୍ରତି ସପ୍ତାହ ୧୦୦ରୁ ଅଧିକ କେସ୍ ପାଇଁ ପ୍ରସ୍ତୁତି  କରିବା ସହଜ ନୁହେଁ।  ନିର୍ଣ୍ଣୟ ଲେଖିବା ସମୟରେ ସ୍ଵତନ୍ତ୍ର ଗବେଷଣାର ଆବଶ୍ୟକତା ରହିଛି। ପରବର୍ତ୍ତୀ ଦିନର ପ୍ରସ୍ତୁତି ନ୍ୟାୟାଳୟ ଖୋଲିବା ମାତ୍ର ଆରମ୍ଭ ହୋଇଥାଏ। ଆମେ ସାପ୍ତାହିକ ଛୁଟି ଏବଂ ଅଦାଲତର ଛୁଟି ସମୟରେ ନିଷ୍ପତ୍ତି ଉପରେ ଗବେଷଣାର କାମ କରିଥାଉ। ଅନେକ ଥର ନିଷ୍ପତ୍ତି ଉପରେ ପୁନିର୍ବିଚାର କରିବା ପାଇଁ ରାତିରେ ନିଦ ଉଡି ଯାଏ ବୋଲି ସିଜେଆଇ କହିଛନ୍ତି।

ସିଜେଆଇ କହିଛନ୍ତି, ଯଦି ଆମକୁ ଜୀବନ୍ତ ଗଣତନ୍ତ୍ରର ଆବଶ୍ୟକତା ରହିଛି, ଆମକୁ ନ୍ୟାୟପାଳିକାକୁ ମଜବୁତ ଏବଂ ବିଚାରପତିଙ୍କୁ ସଶକ୍ତ କରାଯିବା ଜରୁରୀ। ସଂପ୍ରତି ଆମେ ବିଚାରପତିଙ୍କ ଉପରେ ଆକ୍ରମଣର ସଂଖ୍ୟାରେ ବୃଦ୍ଧି ଦେଖିବାକୁ ପାଉଛୁ, ଯାହା ନିଶ୍ଚିତ ଭାବେ ଚିନ୍ତାର ବିଷୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.